ବାତ୍ୟା ଅକ୍ୱାନ୍‌ ପାଇଁ ସତର୍କତା, ସଚେତନତା, ସାମୂହିକ ସହଯୋଗ ଓ ପ୍ରଚେଷ୍ଟା ବଳରେ ମୁକାବିଲା କରିବା: ମନମୋହନ 

 ଆଗାମୀ କିଛି ଘଣ୍ଟା ମଧ୍ୟରେ “ଅକ୍ୱାନ୍‌’ ବାତ୍ୟା ଓଡ଼ିଶା ଉପକୂଳକୁ ଛୁଇଁବାର ସମ୍ଭାବନା ରହିଛି ଏବଂ ଏହାର ପ୍ରଭାବ ଆମ ରାଜ୍ୟରେ ଅଧିକ ଅନୁଭୂତ ହେବାର ସୂଚନା ମିଳୁଛି। ଏହି ସମୟରେ ସମସ୍ତେ ସୁରକ୍ଷିତ ଓ ନିରାପଦ ସ୍ଥାନରେ ରୁହନ୍ତୁ। ବିପଦଗ୍ରସ୍ତ ଲୋକଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଆଗେଇ ଆସନ୍ତୁ। ସରକାର ଓ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବା ସହ ପ୍ରଶାସନିକ କଳକୁ ପୂର୍ଣ୍ଣ ସହଯୋଗ କରନ୍ତୁ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।ରାଜ୍ୟରେ ସମ୍ଭାବ୍ୟ ବାତ୍ୟା “ଅକ୍ୱାନ୍‌’ ର ମୁକାବିଲା ପାଇଁ ରାଜ୍ୟ ସରକାର ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି। ବାତ୍ୟାକୁ ନେଇ କେହି ମଧ୍ୟ ଭୟଭୀତ କିମ୍ବା ଆତଙ୍କିତ ହୁଅନ୍ତୁ ନାହିଁ। ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସମସ୍ତ ସତର୍କତା ସୂଚନା ଏବଂ ପରାମର୍ଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ରାଜ୍ୟବାସୀ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି।ବିଜେପିର ସମସ୍ତ କର୍ମୀ ଓ ପଦାଧିକାରୀମାନେ ନିଜ ନିଜ ଅଂଚଳରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହି ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେବାରେ ପ୍ରଶାସନକୁ ସହଯୋଗ କରନ୍ତୁ। ଉଦ୍ଧାର କାର୍ଯ୍ୟ, ରିଲିଫ ବଂଟନ ଏବଂ ପ୍ରଭାବିତ ଲୋକଙ୍କୁ ସବୁପ୍ରକାରର ଜରୁରୀ ସହାୟତା ପହଂଚାଇବାରେ ଆଗେଇ ଆସିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଦଳୀୟ କାର୍ଯ୍ୟକର୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସତର୍କତା, ସଚେତନତା, ସାମୂହିକ ସହଯୋଗ ଓ ପ୍ରଚେଷ୍ଟା ବଳରେ ଆମେ ଏହି ପରିସ୍ଥିତିର ସଫଳ ମୁକାବିଲା କରିପାରିବା ବୋଲି ଶ୍ରୀ ସାମଲ ଦୃଢ ଆଶା ବ୍ୟକ୍ତ କରିଛନ୍ତି ।

ଅଧିକ ପଢନ୍ତୁ