ବାତ୍ୟା ‘ଆକଭାନ’ ର ମୁକାବିଲା ନିମନ୍ତେ ନୟାଗଡ଼ ଜିଲ୍ଲାପାଳଙ୍କ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ

​ନୟାଗଡ, ତା. ୧୯. ୧୧. ୨୦୨୬- ସମ୍ଭାବ୍ୟ ବାତ୍ୟା ‘ଆକଭାନ’ର ମୁକାବିଲା ତଥା ଜିଲ୍ଲାରେ ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ କରିବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ରଣପୁର ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ବାତ୍ୟା ପ୍ରସ୍ତୁତି ଓ ସ୍ଥାନାନ୍ତରଣ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି ।
​ଗସ୍ତ ସମୟରେ ଜିଲ୍ଲାପାଳ ଚାନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସେଠାକାର ଜରୁରୀକାଳୀନ ଚିକିତ୍ସା ସେବା, ଔଷଧ ମହଜୁଦ ଏବଂ ଆଶୁ ଚିକିତ୍ସା ବିଭାଗର ପ୍ରସ୍ତୁତି ସମ୍ପର୍କରେ ଡାକ୍ତର ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ସେ ଗୋପବନ୍ଧୁ ନଗର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଚମ୍ପାଗଡ଼ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇ ସେଠାରେ କରାଯାଇଥିବା ଅସ୍ଥାୟୀ ରହଣି ବ୍ୟବସ୍ଥା ତଦାରଖ କରିଥିଲେ ।
​ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ଶୁଖିଲା ଓ ରନ୍ଧା ଖାଦ୍ୟ, ଆଲୋକ ବ୍ୟବସ୍ଥା ତଥା ଜରୁରୀକାଳୀନ ଉଦ୍ଧାରକାରୀ ସାମଗ୍ରୀର ଉପଲବ୍ଧତା ନେଇ ଜିଲ୍ଲାପାଳ ତଦାରଖ କରିବା ସହ ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ଉପରେ ଗୁରୁତ୍ୱ ଦେଇଥିଲେ ।
​ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ରଣପୁର ବି. ଡ଼ି. ଓ ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ସ୍ଥାନାନ୍ତରଣ ଓ ରିଲିଫ କାର୍ଯ୍ୟର ତଦାରଖ କରିଥିଲେ ।

ଅଧିକ ପଢନ୍ତୁ