ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଟ୍ରେନର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ପଟିଆ ସ୍ଥିତ ନ୍ୟୁ ରେଳ ଷ୍ଟେସନରେ ଶୁଭାରମ୍ଭ କରାଯାଇଛି । ୧୦ ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ବାରାଣସୀ ଅଯୋଧ୍ୟା ଅଭିମୁଖେ ତୀର୍ଥ ଯାତ୍ରା କରିବେ ବରିଷ୍ଠ ନାଗରିକ । ପ୍ରତ୍ୟେକ ଟ୍ରେନରେ ୮ ଶହ ଜଣ ଯାତ୍ରୀଙ୍କ ପାଇଁ ସୁବିଧା ରହିଛି । ଚଳିତ ଆର୍ଥିକ ବର୍ଷର ଏହା ପ୍ରଥମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା । ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ୧୬୯ ଜଣ, ଜଗତସିଂହପୁର ଜିଲ୍ଲାର ୮୫, କଟକ ଜିଲ୍ଲାରୁ ୧୯୭, ପୁରୀରୁ ୧୨୭, କେନ୍ଦ୍ରାପଡ଼ାରୁ ୧୦୮ ଏବଂ ଢେଙ୍କାନାଳରୁ ୮୯ ଜଣଙ୍କୁ ମିଶାଇ ମୋଟ୍ ୭୭୫ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀରେ ଯାଇଛନ୍ତି । ସେମାନଙ୍କର ଭଲମନ୍ଦ ବୁଝିବା ପାଇଁ ୨୫ ଜଣ ଅଧିକାରୀ ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ତୀର୍ଥଯାତ୍ରୀମାନେ ଆସନ୍ତା ୭ ତାରିଖରେ ଫେରିବେ ।ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାର ବରିଷ୍ଠ ନାଗରିକମାନେ ଦେଶର ବିଭିନ୍ନ ତୀର୍ଥକ୍ଷେତ୍ରକୁ ବୁଲିଯିବାର ସୁଯୋଗ ପାଇବେ । ରାଜ୍ୟ ସରକାର ଆର୍ଥିକ ଦୁର୍ବଳ ଶ୍ରେଣୀର ବରିଷ୍ଠ ନାଗରିକଙ୍କୁ ଦେଶର ବିଭିନ୍ନ ତୀର୍ଥ ସ୍ଥାନକୁ ବିନାଦେୟରେ ବୁଲି ଦେଖିବାର ସମସ୍ତ ବନ୍ଦୋବସ୍ତ କରିଛନ୍ତି ।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡିଶାର ବରିଷ୍ଠ ନାଗରିକଙ୍କୁ ତୀର୍ଥ ସେବା କରିବା ପାଇଁ ୨୦୨୬-୨୭ର ପ୍ରଥମ ଟ୍ରେନ ବାରାଣାସୀ ଅଯୋଧ୍ୟା ଅଭିମୁଖେ ଆଜି ବାହାରିଲା । ଯେଉଁଥିରେ ୮୦୦ ଜଣ ଯାତ୍ରୀ ଅଛନ୍ତି । ସେମାନେ ବୁଲି ଆସିବା ପରେ ସେମାନଙ୍କୁ ସୁସମ୍ମାନ ସହ ନିଜ ନିଜ ଘରେ ପହଞ୍ଚାଯିବ ।
