
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲାର ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟ ଯଥାଶୀଘ୍ର ସମ୍ପନ୍ନ କରିବା ପାଇଁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲାପାଳଙ୍କ ଜରିଆରେ ଏହି ବିଶେଷ ଅନୁରୋଧ ପତ୍ର ପ୍ରେରଣ କରାଯାଇଛି।
ସୂଚନାଯୋଗ୍ୟ ଯେ, ଦଶପଲ୍ଲା ବ୍ଲକ୍ ଟାକେରା ପଞ୍ଚାୟତର ମଞ୍ଜରୀ ଗ୍ରାମ ନିକଟରେ ବହୁ ପ୍ରତିଷ୍ଠିତ ବୃତ୍ତଙ୍ଗ ନଦୀ ଉପରେ ଏହି ଜଳସେଚନ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ପ୍ରାୟ ୧୬୫୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ବୃହତ ପ୍ରକଳ୍ପଟି ବର୍ତ୍ତମାନ କ୍ୟାବିନେଟ୍ ମଞ୍ଜୁରୀ ଅପେକ୍ଷାରେ ରହିଛି। ଏହି ପ୍ରକଳ୍ପ ଦ୍ୱାରା ଅଞ୍ଚଳର ୨୩,୩୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବା ସହିତ ୧୦ ମେଗାୱାଟ୍ ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇପାରିବ ବୋଲି ଆକଳନ କରାଯାଇଛି।
ଏହି ସମ୍ପର୍କରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ଏକ ପ୍ରତିନିଧି ଦଳ, ସ୍ଥାନୀୟ ଜନନେତା ଓ ବୁଦ୍ଧିଜୀବୀମାନେ ପ୍ରକଳ୍ପର ଅଗ୍ରଗତି ନେଇ ବିଭାଗୀୟ ମୁଖ୍ୟ ଯନ୍ତ୍ରୀଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି। ସମଗ୍ର ଚାଷୀ କୂଳର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଯଥାଶୀଘ୍ର ଏହାର ଶିଳାନ୍ୟାସ କରାଯିବା ସହ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ ସଂଘ ତରଫରୁ ବିନମ୍ର ନିବେଦନ କରାଯାଇଛି। ଏହି ସ୍ମାରକପତ୍ରରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ନିଶିକାନ୍ତ ରଥ ଏବଂ ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ମହାପାତ୍ର ଦସ୍ତଖତ କରିଥିବା ବେଳେ ପ୍ରତାପ ନନ୍ଦ, ସଭାପତି, ସିନିୟର ସିଟିଜେନ୍ସ ଆସୋସିଏସନ,ବିଜେପି ନେତା ସନ୍ତୋଷ ପ୍ରଧାନ, ଜୟ ନୟାଗଡ଼ ଫାଉଣ୍ଡେସନର ସଭାପତି ଶେଖ୍ ଅବଦୁଲ ଆହାଦଙ୍କ ସମେତ ସାମ୍ବାଦିକ ଲୋକନାଥ ମିଶ୍ର,ଉତ୍ପଳ ସାହୁ, ସୁଧାକର ମିଶ୍ର, ଗୋକୁଳ ଷଡ଼ଙ୍ଗୀ,ବିକ୍ରମ ସ୍ୱାଇଁ,ଜିତୁନ୍ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
