ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବେ ଭାସ୍କର ରାଓଙ୍କ ସମେତ ୬ ଅଭିଯୁକ୍ତ

ରାୟଗଡ଼ା, ୨୯/୧୦: ରାୟଗଡ଼ାର ଯୁବ ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ଦୀର୍ଘ ୧୬ ବର୍ଷ ଧରି ଚାଲିଥିବା ନ୍ୟାୟିକ ଲଢ଼େଇରେ ଆଦିବାସୀ ମହାସଂଘକୁ ବଡ଼ ସଫଳତା ମିଳିଛି। ହାଇକୋର୍ଟ ପ୍ରଦାନ କରିଥିବା ଅଗ୍ରୀମ ଜାମିନ ଆଦେଶକୁ ସୁପ୍ରିମକୋର୍ଟ ଖାରଜ କରିବା ସହ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜୁ ସ୍ୱାଭିମାନ ମଞ୍ଚର ଆବାହକ ଏନ୍‌. ଭାସ୍କର ରାଓଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଦୁଇ ସପ୍ତାହ ମଧ୍ୟରେ ସମ୍ପୃକ୍ତ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହୋଇ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାୟ ପରେ ଭାଗିରଥିଙ୍କ ପରିବାର ସହ ଦୀର୍ଘଦିନ ଧରି ନ୍ୟାୟ ପାଇଁ ଲଢ଼େଇ କରୁଥିବା ଆଦିବାସୀ ମହାସଂଘ ପକ୍ଷରୁ ସୁପ୍ରିମକୋର୍ଟଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରାଯାଇଛି। ରାୟଗଡ଼ାର ହୋଟେଲ କୈଳାଶଠାରେ ଆଦିବାସୀ ମହାମଞ୍ଚ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଆଦିବାସୀ ମହାସଂଘର ଉପସଭାପତି ବସନ୍ତ ଉଲ୍ଲାକା ଓ ଜଗନ୍ନାଥ ମାଣ୍ଡାଙ୍ଗି ଏହି ସୂଚନା ଦେଇଥିଲେ। ସୂଚନା ଅନୁଯାୟୀ, ୨୦୧୦ ମସିହାରେ ଯୁବ ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗିଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ନେଇ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ଏନ୍‌. ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ସମ୍ପୃକ୍ତି ଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ମାମଲାର ବିଚାର ଚାଲିଥିବା ସମୟରେ ଏସ୍‌ଡିଜେଏମ୍‌ କୋର୍ଟ ପକ୍ଷରୁ ଅଭିଯୁକ୍ତମାନଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଥିଲା। ପରେ ଏହାକୁ ଚ୍ୟାଲେଞ୍ଜ କରି ଭାସ୍କର ରାଓ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ସେଠାରୁ ଅଗ୍ରୀମ ଜାମିନ ପାଇଥିଲେ। ଏହି ଆଦେଶକୁ ଚ୍ୟାଲେଞ୍ଜ କରି ମୃତକଙ୍କ ଭାଇ ଜଗନ୍ନାଥ ମାଣ୍ଡାଙ୍ଗି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ମାମଲାର ତଥ୍ୟ ଓ ଉପସ୍ଥାପିତ ଯୁକ୍ତିକୁ ବିଚାର କରି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଅଗ୍ରୀମ ଜାମିନ ଆଦେଶକୁ ଖାରଜ କରିଛନ୍ତି ଏବଂ ୬ ଜଣ ଅଭିଯୁକ୍ତଙ୍କୁ ଦୁଇ ସପ୍ତାହ ମଧ୍ୟରେ ସମ୍ପୃକ୍ତ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହୋଇ ଆତ୍ମସମର୍ପଣ କରିବାକୁ ଆଦେଶ ଦେଇଛନ୍ତି। ଦୀର୍ଘ ୧୬ ବର୍ଷ ଧରି ନ୍ୟାୟ ଦାବିରେ ଆଦିବାସୀ ମହାସଂଘ ଓ ମୃତକଙ୍କ ପରିବାର ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ, ଶୋଭାଯାତ୍ରା ଓ ରାଲି ଆୟୋଜନ କରାଯାଇଥିଲା। ମହାସଂଘର ନିରନ୍ତର ଉଦ୍ୟମ ଓ ପରିବାରର ଦୀର୍ଘ ଆଇନଗତ ଲଢ଼େଇ ଯୋଗୁ ମାମଲାଟି ପୁଣିଥରେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଥିବା ସମ୍ମିଳନୀରେ କୁହାଯାଇଥିଲା। ଏହି ରାୟକୁ ଆଦିବାସୀ ମହାସଂଘ ପକ୍ଷରୁ ନ୍ୟାୟ ପାଇଁ ଚାଲିଥିବା ଦୀର୍ଘ ସଂଘର୍ଷର ଏକ ବଡ଼ ସଫଳତା ବୋଲି କୁହାଯାଇଛି। ଖବରଦାତା ସମ୍ମିଳନୀରେ ଭାଗିରଥିଙ୍କ ଭାଇ ଜଗନ୍ନାଥ ମାଣ୍ଡାଙ୍ଗି, ବାସା ମାଣ୍ଡାଙ୍ଗିଙ୍କ ସମେତ ଆଦିବାସୀ ମହାସଂଘର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ତେବେ ଏହି ମାମଲା ସମ୍ପର୍କରେ ପୂର୍ବତନ ସାଂସଦ ଏନ୍‌. ଭାସ୍କର ରାଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଅଧିକ ପଢନ୍ତୁ