ଭାଗିରଥି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ମହାସମାରୋହରେ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁରସ୍ଥିତ ଭାଗିରଥି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ମହାସମାରୋହରେ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ବ୍ଲକ ଶିକ୍ଷାଧିକାରିଣୀ ମୁନରାଣୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ଶୃଙ୍ଖଳା ଓ ଜୀବନରେ ଉତ୍ତମ ମଣିଷ ହେବା ପାଇଁ ପ୍ରେରଣାଦାୟୀ ଉଦ୍‌ବୋଧନ ଦେଇଥିଲେ।

ଏହି ଅବସରରେ ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକ ତ୍ରିନାଥ ରଥ, ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ଦାଶ, ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ଅବସରପ୍ରାପ୍ତ ପ୍ରାଣୀବିଜ୍ଞାନ ବିଭାଗ ମୁଖ୍ୟ କବିତା ମିଶ୍ର, ଆଲୁମିନି କମିଟିର ଉପସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ଦାଶ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧନେଶ୍ୱର ମହାନ୍ତି, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନବକିଶୋର ପରିଡ଼ା ଓ ଦୁର୍ଗାପ୍ରସନ୍ନ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଗୌରବମୟ ଇତିହାସ ଓ ଶିକ୍ଷାର ମହତ୍ତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକ ତ୍ରିନାଥ ରଥ ତାଙ୍କର ଦୀର୍ଘ ୨୫ ବର୍ଷର କାର୍ଯ୍ୟକାଳର ଅନୁଭୂତି ବଖାଣିବା ସହ ବିଭିନ୍ନ ଘାତପ୍ରତିଘାତ ସତ୍ତ୍ୱେ ବିଦ୍ୟାଳୟ କିପରି ନିଜର ସୁନାମ ଓ ଗୌରବ ବଜାୟ ରଖିପାରିଛି, ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳତା ହାସଲ ପାଇଁ ଗଠନମୂଳକ ପରାମର୍ଶ ଦେଇଥିଲେ।

ପରେ ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟର ଶିକ୍ଷାଗତ ଓ ସହଶୈକ୍ଷିକ କାର୍ଯ୍ୟକଳାପର ସଫଳତା ସମ୍ପର୍କରେ ଉପସ୍ଥାପନ କରିଥିଲେ। ଉତ୍ସବ ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ଶିକ୍ଷକ ବେଣୁଧର ବିଶ୍ୱାଳ ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶେଷରେ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା।

ଅଧିକ ପଢନ୍ତୁ