ଭାରତରେ ବିବାହ, ବିଦେଶରେ ଛାଡ଼ପତ୍ରକୁ ସୁପ୍ରିମକୋର୍ଟଙ୍କ ନା”

ଯଦି ଜଣେ ବ୍ୟକ୍ତି ଭାରତରେ ବିବାହ କରନ୍ତି । ଏହା ପରେ ସେ ବିଦେଶ ଚାଲିଯାଆନ୍ତି । ସେଠାର ଏକ କୋର୍ଟରେ ପତ୍ନୀଙ୍କ ସହ ବିବାହ ବିଛେଦ ହୋଇଯାଏ । ଅର୍ଥାତ ଭାରତରେ ହୋଇଥିବା ବିବାହକୁ ବାହାର ଦେଶର କୋର୍ଟ ବିଚ୍ଛେଦ କରିଥିଲେ ଭାରତରେ ଏହାକୁ ଗ୍ରହଣ କରାଯିବ ନା ନାହିଁ ସେନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଭାରତରେ ଅନୁଷ୍ଠିତ ବିବାହକୁ ବିଦେଶୀ ଅଦାଲତରୁ ମିଳିଥିବା ଛାଡପତ୍ର ଅନୁଯାୟୀ ଭାଙ୍ଗି ଦିଆଯାଇପାରିବ ନାହିଁ। ଏହା ଭାରତୀୟ ଆଇନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ନୁହେଁ। ତେଣୁ ପ୍ରଥମ ବିବାହ ଆଇନଗତ ଭାବରେ ବୈଧ ରହିବ। ଏହା ସହିତ ବିବାହିତ ଅବସ୍ଥାରେ ଦ୍ୱିତୀୟ ବିବାହ କରିଥିବା ସ୍ବାମୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଭାରତରେ ହୋଇଥିବା ବିବାହକୁ ଭାଙ୍ଗିବା ପାଇଁ ଭାରତୀୟ ଆଇନ ବ୍ୟବସ୍ଥାର ସାହାରା ନେବା ଆବଶ୍ୟକ। ଜଣେ ବ୍ୟକ୍ତି ବିଦେଶୀ ଅଦାଲତରୁ ଛାଡପତ୍ର ପାଇଥିବାରୁ ଭାରତୀୟ ଆଇନ ହାତରୁ ଖସି ଯାଇପାରିବେ ନାହିଁ। ପ୍ରଥମ ପତ୍ନୀ ଛାଡ଼ପତ୍ର ପ୍ରକ୍ରିୟାକୁ ବିରୋଧ କରୁଥିଲେ। ଏହା ସତ୍ତ୍ୱେ ବିଦେଶୀ ଅଦାଲତ ଛାଡ଼ପତ୍ରକୁ ମଞ୍ଜୁର କରିଥିଲେ ଏବଂ ସ୍ବାମୀ ପୁନର୍ବାର ବିବାହ କରିଥିଲେ। ସୁପ୍ରିମକୋର୍ଟ ଭାରତୀୟ ଆଇନ ଅନୁଯାୟୀ ଏହି ଛାଡ଼ପତ୍ରକୁ ଅବୈଧ ବୋଲି ଘୋଷଣା କରିଛନ୍ତି। ଏହି ନିୟମ ସେହି ସବୁ ବ୍ୟକ୍ତିଙ୍କ ପାଇଁ ଲାଗୁ ହେବ ଯେଉଁ ବ୍ୟକ୍ତି ବିବାହ ପରେ ବାହାର ଦେଶର ନାଗରିକତା ନେଇଥିବେ । ଭାରତୀୟ ଆଇନ ଅନୁସାରେ ହୋଇଥିବା ବିବାହକୁ ବିଦେଶୀ କୋର୍ଟରେ ଛାଡ଼ପତ୍ର ପରେ ବି ବୈଧ ଭାବେ ଗ୍ରହଣ କରାଯିବ ବୋଲି କୋର୍ଟ କହିଛନ୍ତି ।

ଅଧିକ ପଢନ୍ତୁ