ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅକଭାନ୍‌’, ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍‌  ସମ୍ଭାବନା 

ଭୀଷଣ ବାତ୍ୟାର ରୂପ ନେଲା ‘ଅକଭାନ’ । ସକାଳ ୫ଟା ୩୦ ମିନିଟ୍ର ପାଣିପାଗ ପର୍ଯ୍ୟବେକ୍ଷଣ ଅନୁଯାୟୀ, ଅକଭାନ ଏବେ ଭୀଷଣ ବାତ୍ୟା ବା ସିଭିୟର ସାଇକ୍ଲୋନରେ ପରିଣତ ହୋଇଛି। ବିଶାଖାପାଟଣାଠାରୁ ୬୧୦ କିଲୋମିଟର ଏବଂ ଗୋପାଳପୁରଠାରୁ ୭୩୦ କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ରହିଛି। ଘଣ୍ଟାପ୍ରତି ମାତ୍ର ୩ କିଲୋମିଟର ବେଗରେ ଆଗକୁ ବଢ଼ୁଛି ବାତ୍ୟା।ପାଣିପାଗ ବିଭାଗର ଆକଳନ ଅନୁସାରେ, ଅକଭାନ୍‌ ଉତ୍ତର-ପଶ୍ଚିମ ଦିଗକୁ ଗତି ଜାରି ରଖିବ । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏହା ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇପାରେ। ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସମୟରେ ନେଲ୍ଲୋର ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ଓ ୟାନାମ୍‌ ଉପକୂଳ ଅତିକ୍ରମ କରିବାର ପୂର୍ବାନୁମାନ ରହିଛି ।ସ୍ଥଳଭାଗ ଅତିକ୍ରମ କରିବା ପରେ ଏହା ଓଡ଼ିଶାର ମାଲକାନଗିରି ଆଡ଼କୁ ମୁହାଁଇପାରେ। ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। ବିଶେଷ କରି ୧୯ ଓ ୨୦ ତାରିଖରେ ବର୍ଷାର ପ୍ରଭାବ ଅଧିକ ରହିପାରେ। ଏହାକୁ ନେଇ ଦକ୍ଷିଣ ଓଡ଼ିଶାରେ ପାଣିପାଗ ସ୍ଥିତି ଉପରେ ନଜର ରଖାଯାଇଛି।ଏହା ପ୍ରଭାବରେ 19 ତାରିଖ ଉପକୂଳ ଜିଲ୍ଲା ମାନଙ୍କରେ ଓ ଦକ୍ଷିଣ ଜିଲ୍ଲା ମାନଙ୍କ ରେ ହାଲୁକାରୁ ମଧ୍ୟମ ସହ ଗୋଟିଏ 2ଟି ଜାଗାରେ ଭାରି ବର୍ଷାସମ୍ଭାବନା ବେଳେ 20ତାରିଖ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ ର କିଛି କିଛି ଜାଗାରେ ଭାରି ରୁ ଅତି ଭାରି ବର୍ଷା ଓ ଗୋଟିଏ 2ଟି ଜାଗାରେ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା ଅଛି।ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ଅଧିକ ପଢନ୍ତୁ