ରାଜଧାନୀ ଭୁବନେଶ୍ୱରରେ ଦୁଇ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଏହି ଘଟଣାରେ ଜଣେ ପୂଜାରୀଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ। ଅଭିଯୁକ୍ତଙ୍କ ନାଁ ନଳିନୀ ଆଚାର୍ଯ୍ୟ।ତାଙ୍କ ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବା ବେଳେ ସେ ଭୁବନେଶ୍ୱରରେ ରହୁଥିଲେ ।ଅଭିଯୋଗ ଅନୁସାରେ, ଅଭିଯୁକ୍ତ ପଡ଼ୋଶୀଙ୍କ ସହ ସମ୍ପର୍କ ରଖିଥିଲେ । ଏହି ସମ୍ପର୍କର ସୁଯୋଗ ନେଇ ସେ ପଡ଼ୋଶୀଙ୍କ ନାବାଳିକା ଝିଅ ପ୍ରତି ଖରାପ ନଜର ରଖିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା ।ପୁଲିସ ପୀଡ଼ିତା ନାବାଳିକାଙ୍କ ସହ ତାଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛି । ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି ।ଅଭିଯୁକ୍ତଙ୍କ ବିରୋଧରେ ପକ୍ସୋ ଆଇନ ସହ ଅନ୍ୟ ସଙ୍ଗିନ ଦଫା ଲଗାଯାଇଛି।ଗିରଫ ପରେ ଅଭିଯୁକ୍ତଙ୍କ ଡାକ୍ତରୀ ଯାଞ୍ଚ କରାଯାଇଥିବା ବେଳେ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
