ପଛଘୁଞ୍ଚା ଦେଲେ ମମତା ବାନାର୍ଜୀଙ୍କ ପୁଷ୍ପା ଜାହାଙ୍ଗିର ଖାନ। ଫାଲଟା ବିଧାନସଭା ଆସନରେ ମେ ୨୧ ତାରିଖରେ ପୁଣି ମତଦାନ ହେବ । କିନ୍ତୁ ନିର୍ବାଚନର ମାତ୍ର ୪୮ ଘଣ୍ଟା ପୂର୍ବରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାନ ନିର୍ବାଚନ ମଣ୍ଡଳିରୁ ଓହରି ଯାଇଛନ୍ତି । ଜାହାଙ୍ଗୀର ଖାନ ବ୍ୟକ୍ତିଗତ କାରଣରୁ ନାମ ପ୍ରତ୍ୟାହାର କରୁଛନ୍ତି ବୋଲି ଟିଏମସି କହିଛି । ତାଙ୍କର ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି ।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଫାଲ୍ଟା ନିର୍ବାଚନ ମଣ୍ଡଳୀରେ ବ୍ୟାପକ ହିଂସା, ଭୋଟରଙ୍କୁ ଭୟଭୀତ କରିବା ଏବଂ ଇଭିଏମ୍ (EVM) ଟାମ୍ପରିଂ ଭଳି ଗମ୍ଭୀର ଅଭିଯୋଗ ଆସିଥିଲା। ଏହାପରେ ଭାରତୀୟ ନିର୍ବାଚନ କମିଶନ (ECI) ଏହି ଆସନର ସମସ୍ତ ୨୮୫ଟି ବୁଥ୍ ରେ ମେ ୨୧ ତାରିଖରେ ନୂଆ ଭାବେ ପୁନଃ-ମତଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କାରଣରୁ ମେ ୪ ତାରିଖରେ ରାଜ୍ୟର ଅନ୍ୟ ଆସନଗୁଡ଼ିକର ଫଳାଫଳ ପ୍ରକାଶ ପାଇଥିଲେ ମଧ୍ୟ ଫାଲ୍ଟାର ଫଳାଫଳ ସ୍ଥଗିତ ରଖାଯାଇଥିଲା।ଏହି ଆସନରେ ଆସନ୍ତା ମେ ୨୪ ତାରିଖରେ ଭୋଟ ଗଣତି ହେବାକୁ ଦିନ ଧାର୍ଯ୍ୟ କରାଯାଇଛି।ଜାହାଙ୍ଗୀର ଖାନଙ୍କ ବିରୋଧରେ ନିର୍ବାଚନ ସମୟରେ ଏକାଧିକ ଅପରାଧିକ ମାମଲା ଏବଂ ଏଫ୍ଆଇଆର୍ (FIR) ରୁଜୁ କରାଯାଇଥିଲା। ପୁନଃ-ମତଦାନ ପୂର୍ବରୁ ନିଜର ଗିରଫଦାରୀକୁ ଏଡ଼ାଇବା ପାଇଁ ସେ କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଓକିଲ କୋର୍ଟରେ ଦଲିଲ ରଖିଥିଲେ ଯେ ଖାନଙ୍କୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଟାର୍ଗେଟ କରାଯାଉଛି। ହାଇକୋର୍ଟ ମାମଲାର ଶୁଣାଣି କରି ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଜାହାଙ୍ଗିରଙ୍କ ବିରୁଦ୍ଧରେ କୌଣସି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ବା ଗିରଫ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ତେବେ ମତଦାନର ଠିକ୍ ପୂର୍ବରୁ ଟିଏମସି ପ୍ରାର୍ଥୀଙ୍କ ଏଭଳି ପଛଘୁଞ୍ଚା ବିଜେପି ପାଇଁ ଏହି ଆସନରେ ବିଜୟ ପଥ ଅତି ସହଜ କରିଦେଇଛି।
