ଡବଲ ଇଞ୍ଜିନ ଡବଲ ବିକାଶ ନାରା ସହିତ ପ୍ରତିଶ୍ରୁତିର ବର୍ଷା କରିଥିଲା ବିଜେପି । ବିଜେପି ରାଜ୍ୟରେ ସରକାରକୁ ଆସିବାର ପ୍ରାୟ ଅଢେଇ ବର୍ଷ ବିତି ଯାଇଛି । ଡବଲ ଇଞ୍ଜିନ ବାସ୍ତବରେ ରାଜ୍ୟବାସୀଙ୍କ ପାଇଁ ଡବଲ ଧୋକାରେ ପରିଣତ ହୋଇଛି । କେନ୍ଦ୍ରୀୟ ଅନୁଦାନରେ ହ୍ରାସ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମହିଳାଙ୍କ ବିରୋଧରେ ଅପରାଧରେ ଅହେତୁକ ବୃଦ୍ଧି ହୋଇଛି । ଖଣିଜ ସମ୍ପଦର ହରିଲୁଟ, ବେକାରୀ ସମସ୍ୟା ବୃଦ୍ଧି, ଦରଦାମ ବୃଦ୍ଧି, ଦାଦନ ବୃଦ୍ଧି ଚରମ ସୀମାରେ ପହଁଛି । ବ୍ୟାପକ ସମସ୍ୟା ସହିତ ବିଜେପି ସରକାରଙ୍କ ମନ୍ଥର ବ୍ୟୟ ରାଜ୍ୟର ବିକାଶକୁ ଆଗକୁ ନେବା ପରିବର୍ତ୍ତେ ପଛକୁ ଠେଲି ଦେଇଛି ।ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଅନେକ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାରକୁ ଅଢେଇ ବର୍ଷ ପୁରି ଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତା ଓଡ଼ିଶାବାସୀଙ୍କୁ ନିରାଶ କରିଛି । ଡବଲ ଇଞ୍ଜିନ ଡବଲ ବିକାଶ ନାରା ରାଜ୍ୟବାସୀଙ୍କ ପାଇଁ ଡବଲ ଧୋକାରେ ପରିଣତ ହୋଇଛି ।୨୦୨୪-୨୫ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଅନୁଦାନ ୧୮.୧୯% ହ୍ରାସ ପାଇଛି । ଆନ୍ଧ୍ର ଓ ବିହାରକୁ କେନ୍ଦ୍ର ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରିଥିବା ବେଳେ ଓଡ଼ିଶାକୁ କିଛି ମିଳିନାହିଁ । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ମହିଳାଙ୍କ ବିରୋଧରେ ଅପରାଧ ଅହେତୁକ ବୃଦ୍ଧି ପାଇଛି । ମହିଳାଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ବିଜେପି ସରକାର ବିଫଳ ହେବା କାରଣରୁ ଓଡ଼ିଶା ଦେଶ ଓ ଦେଶ ବାହାରେ ନିନ୍ଦିତ ହୋଇଛି ।
