ରାସ୍ତାର ଗୋଟିଏ ପାର୍ଶ୍ଵରେ ରଥଖଳା ଓ ଅନ୍ୟପଟେ ଲୋକଙ୍କ ଠେଲାପେଲା । ଭିଡ଼ ଭିତରୁ ହାତରେ ପୁଳା ପୁଳା ଖଜା ଧରି ହସି ହସି ବାହାରୁଥିଲେ ଲୋକେ । ସମସ୍ତେ ସେହି ଭିଡ଼ ଭିତରକୁ ମାଡ଼ି ଯାଉଥିଲେ । ଆଉ ଦୁଇ ହାତ ପୂର୍ଣ୍ଣ କରି ଖଜା ନେଇଆସୁଥିଲେ ।ସାଧାରଣତଃ ଯଦି ଆମେ କିମ୍ବା କୌଣସି ଲୋକ ଖଜା କିଣନ୍ତି । ତେବେ ସୀମିତ ଓଜନ ମଧ୍ୟରେ କିଣନ୍ତି । ହେଲେ ଏଠି ମାଗଣାରେ ଖଜା ଥୁଆ ହୋଇଥିବାରୁ ଯିଏ ପାରିଲା, ସିଏ ବୋହିନେଲା । ଶେଷ ହେବା ପର୍ଯ୍ୟନ୍ତ ବୋହି ଚାଲିଲେ ଖଜା । ଏମିତିକି ତଳେ ପଡୁଥିବାର ମଧ୍ୟ କାହା ନଜିରକୁ ଆସିନଥିଲା ।ଯାହାର ଭିଡିଓ ଏବେ ନିଆଁ ପରି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ତେବେ ଗୁରୁବାର ଅପରାହ୍ନରେ ରାସ୍ତାପାର୍ଶ୍ୱରେ ବସୁଥିବା ଉଠାଦୋକାନୀଙ୍କ ଉପରେ ପ୍ରଶାସନର ଏନ୍ଫୋର୍ସମେଣ୍ଟ ଟିମ୍ ଚଢାଉ କରି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅମାନିଆ ଖଜା ଦୋକାନୀଙ୍କୁ ପୋଲିସ ଉଠାଇ ନେବାପରେ ମାଲିକ ବିହୀନ ଖଜା ଭର୍ତ୍ତି ହଣ୍ଡା ଦେଖି ସେଠାକୁ ଧାଇଁଥିଲେ ଶ୍ରଦ୍ଧାଳୁ । ଆଉ କିଛି କ୍ଷଣ ମଧ୍ୟରେ ପୁରା ହଣ୍ଡାକୁ ଖାଲି କରିଦେଇଥିଲେ ।ନିକଟରେ ପୁରୀ ଏସପି ଭିନୀତ ଅଗ୍ରୱାଲ୍ ଖଜା ବ୍ୟବସାୟୀଙ୍କୁ ୱାର୍ଣ୍ଣଂ ଦେଇଥିଲେ । କୌଣସି ବ୍ୟକ୍ତିଙ୍କୁ ଓଜନ କିମ୍ବା ଗୁଣବତ୍ତାରେ ନ ଠକିବାକୁ ଅନୁରୋଧ କରିଥିଲେ ଏସପି । ଏହାସହିତ ବେଆଇନ ଭାବରେ ବଡ଼ଦାଣ୍ଡ ନୋ ଭେଣ୍ଡିଂ ଜୋନରେ ବିକୁଥିବା ସମସ୍ତ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିବାବେଳେ ଆବଶ୍ୟକ ପଡ଼ିଲେ ଆକ୍ସନ ମଧ୍ୟ ନିଆଯିବ ବୋଲି କୁହାଯାଇଥିଲା ।
