
ନୟାଗଡ଼,(ଓଡ଼ିଶା ଦର୍ପଣ): ଆସନ୍ତା ମାର୍ଚ୍ଚ ୧୫ରୁ ସପ୍ତାହବ୍ୟାପୀ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ-୨୦୨୬ ପଠାଣି ସାମନ୍ତ ଅଡିଟୋରିଅମ ଠାରେ ଅନୁଷ୍ଠିତ ହେବ। ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମାର୍ଚ୍ଚ ୧୫ ରୁ ୨୧ ତାରିଖ ଯାଏଁ ନାଟକ ମହୋତ୍ସବ ଆୟୋଜନ କରିବାକୁ ଯାଉଛି । ଏଥିରେ ଭୁବନେଶ୍ବର, ସମ୍ବଲପୁର,ବାରିପଦା, ବାଲେଶ୍ୱର ଏବଂ ନୟାଗଡ଼ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନ ମାନେ ସେମାନଙ୍କ ନାଟକ ପରିବେଷଣ କରିବେ ବୋଲି ନାଟ୍ୟଧାରା ପକ୍ଷରୁ ସ୍ଥାନୀୟ ବୁଦ୍ଧ ମଣ୍ଡପ ଠାରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି। ପ୍ରତ୍ୟହ ସନ୍ଧ୍ୟା ୭ ଘ.୩୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିବା ନାଟକ ଗୁଡିକ ଥିଏଟର ଶୈଳୀରେ ପ୍ରଦର୍ଶିତ ହୋଇ ସର୍ବାଧିକ ଦୁଇ ଘଣ୍ଟା ଅବଧି ମଧ୍ୟରେ ପରିସମାପ୍ତ ହେବ । ଏହି କ୍ରମରେ ୧୫ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ବିଦ୍ୟାକନକ ସୃଜନୁଷ୍ଠାନର ନାଟକ ‘କୁହୁଡ଼ି’ ମଞ୍ଚସ୍ଥ ହେବାକୁ ଥିବା ବେଳେ, ୧୬ ତାରିଖରେ ବାରିପଦାର ନୁପୁର ନାଟ୍ୟାନୁଷ୍ଠାନ ପକ୍ଷରୁ ‘ଚକ୍ରବ୍ୟୁହ’, ୧୭ ରେ ଭୁବନେଶ୍ୱର ପ୍ରତିଭା ନାଟ୍ୟାନୁଷ୍ଠାନ ପକ୍ଷରୁ ନାଟକ ‘ଏକ ନାୟକର ମୃତ୍ୟୁ’, ୧୮ରେ ପଞ୍ଚଧ୍ୱନି ଭୁବନେଶ୍ୱରର ନାଟକ ‘ବଧୂ ବିଦାୟ’, ୧୯ ରେ ଯୁଧିଷ୍ଠିର ଥିଏଟର ଭୁବନେଶ୍ୱରର ନାଟକ ‘ଇନ୍ଦ୍ରଜାଲ’, ୨୦ ରେ ସମ୍ବଲପୁର ନାଟ୍ୟାନୁଷ୍ଠାନ ସ୍ୱର ପକ୍ଷରୁ ନାଟକ ‘ସମୁଦ୍ର ସମୂହ’ ଏବଂ ଅନ୍ତିମ ଦିବସ ୨୧ ତାରିଖରେ ନୟାଗଡ଼ର ନାଟ୍ୟାନୁଷ୍ଠାନ ଚମତ୍କାର ପକ୍ଷରୁ ନାଟକ ‘ଡାଆଣି’ ମଞ୍ଚସ୍ଥ ହେବ। ସପ୍ତାହବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ନାଟକ ଗୁଡ଼ିକ ସାଂପ୍ରତିକ ସମାଜ ଭିତ୍ତିକ ହୋଇ ଦର୍ଶକୀୟ ଆଦୃତି ଲାଭ କରିବ ବୋଲି ପ୍ରସ୍ତୁତି ବୈଠକରେ ଉପସ୍ଥିତ ନାଟ୍ୟଧାରା ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ । ଏହି ରାଜ୍ୟସ୍ତରୀୟ ନାଟ୍ୟମେଳାକୁ ପରିପୂର୍ଣ୍ଣ ଉପଭୋଗ ପୂର୍ବକ ମଞ୍ଚମୁଖି ହେବା ସକାଶେ ନାଟ୍ୟପ୍ରେମୀଙ୍କୁ ନାଟ୍ୟାନୁଷ୍ଠାନ ପକ୍ଷରୁ ଆନ୍ତରିକ ନିବେଦନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୫୦ ଟଙ୍କିଆ ଲଟେରୀ କୁପନର ବ୍ୟବସ୍ଥା କରାଯାଇ ଦର୍ଶକ ମାନଙ୍କୁ ମଞ୍ଚାଭିମୁଖୀ କରିବା ପାଇଁ ନାଟ୍ୟଧାରା ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି। ପ୍ରସ୍ତୁତି ବୈଠକରେ ନାଟ୍ୟଧାରା ନାଟ୍ୟନୁଷ୍ଠାନର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ନିର୍ଦ୍ଦେଶକ ଡ. ବିଜୟ କୁମାର ଚୌଧୁରୀ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟକାର ବିଶ୍ୱନାଥ ମହାପାତ୍ରଙ୍କ ସମେତ ନବକିଶୋର ମିଶ୍ର, ନୀଳକଣ୍ଠ ଦାଶ, ଲକ୍ଷ୍ମୀଧର ସାହୁ, ପ୍ରଦୀପ୍ତ ଡାକୁଆ, ଅଶୋକ ମଲ୍ଲ, ପ୍ରଶାନ୍ତ କୁମାର ପଟ୍ଟନାୟକ,ରଞ୍ଜନ ରଶ୍ମି ଜେନା, ପ୍ରଶାନ୍ତ କୁମାର ଦାଶ, ଗୋପୀନାଥ ସେଠି,ଉମାକାନ୍ତ ମିଶ୍ର,ପ୍ରଫୁଲ୍ଲ ନାୟକ, ରବୀନ୍ଦ୍ର ସାହୁ,ସୋନାଲି ଶୁଚିସ୍ମିତା ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠିତ ହେବାକୁ ଯାଉଥିବା ସପ୍ତାହବ୍ୟାପୀ ନାଟ୍ୟମେଳାକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।By:-Laxmidhar Sahoo
