ମା ତାରିଣୀ ଙ୍କ ମନ୍ଦିର ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଘଟଗାଁରେ ଅବସ୍ଥିତ । । ପ୍ରବାଦରେ ଅଛି ଘଟଗାଁଠାରେ ଥିବା ମା ତାରିଣୀ ମନ୍ଦିରକୁ ୧୪୮୦ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜା ଗୋବିନ୍ଦ ଭଞ୍ଜଦେଓ ନିର୍ମାଣ କରେଇଥିଲେ । ପୁରୀର ତତ୍କାଳୀନ ଗଜପତି ମହାରାଜାଙ୍କ ଆଦେଶକ୍ରମେ ମା ତାରିଣୀ ନୂଆ ମନ୍ଦିର ଘଟଗାଁଠାରେ ଶକ୍ତିପୀଠ ଭାବରେ ସ୍ଥାପିତ ହେଇପାରିଥିଲା । ମା ତାରିଣୀଙ୍କ ପାଖରେ ଯାହା ମାନସିକ କରାଯାଏ ତାହା ନିଶ୍ଚୟ ପୂରଣ ହୁଏ ବୋଲି ବିଶ୍ୱାସ ଥାଏ ।କୁହାଯାଏ ସେ ପ୍ରଥମେ ବନବାଈ କନ୍ଧଙ୍କଦ୍ୱାରା ପୂଜା ପାଇ ଆସୁଥିଲେ। ପ୍ରକୃତରେ ମାଆ ଦୁର୍ଗା ଦଶଭୁଜା ଏବଂ ମାଆ ତାରିଣୀ ଚତୁର୍ଭୁଜା। ମାଆ ତାରିଣୀଙ୍କର ଚାରି ହାତରୁ ବାମପାଖ ଉପର ହସ୍ତରେ ସେ ଚକ୍ର ଧାରଣ କରିଛନ୍ତି। ବାମ ପାଖ ତଳ ହସ୍ତରେ ତ୍ରିଶୁଳ ରହିଥାଏ। ସେହିପରି ଦକ୍ଷିଣ ପାଖ ଉପର ହସ୍ତରେ ସେ ଖଡ୍ଗ ଧାରଣ କରିଥିବା ବେଳେ ତଳ ହସ୍ତଟି ତାଙ୍କର ଶୂନ୍ୟ ଥାଏ। ଏହି ହାତରେ ମାଆ ତାରିଣୀ ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି ।
ପାଞ୍ଚଶହ ବର୍ଷ ପୂର୍ବେ କେନ୍ଦୁଝରରେ ରାଜା ଥିଲେ ତ୍ରିଲୋଚନ ଭଞ୍ଜ। ତାଙ୍କର ପୁତ୍ରଙ୍କ ନାମ ଗୋବିନ୍ଦ ଭଞ୍ଜ।। ପୁରୀରେ ସେତେବେଳେ ଗଜପତି ମହାରାଜା ଥିଲେ ଶ୍ରୀ ପୁରୁଷୋତ୍ତମ ଦେବ। କାଞ୍ଚି ଯୁଦ୍ଧରେ ପ୍ରଥମ ଥର ପରାଜିତ ହେବାପରେ ପରାଜୟର ଗ୍ଳାନିରେ ମର୍ମାହତ ମହାରାଜ ପୁରୁଷୋତ୍ତମ ଦେବ ସବୁଆଡୁ ନିରୁପାୟ ହୋଇ ଜଗତର ନାଥ ଜଗନ୍ନାଥଙ୍କ ଶରଣାପନ୍ନ ହୋଇଥିଲେ ।ଜଗନ୍ନାଥ ସେବକର ଦୁଃଖ ସହିପାରିଲେ ନାହିଁ , ସ୍ୱପ୍ନାଦେଶ ହେଲା: ‘ତୁ ଆଉଥରେ କାଞ୍ଚି ଅଭିଯାନର ଆୟୋଜନ କର ।ଏଇ ଯୁଦ୍ଧରେ ଆମେ ଦୁଇଭାଇ ତୋର ସହାୟତା କରିବୁ । କିନ୍ତୁ ମନେରଖ, ଆସନ୍ତାକାଲି ପ୍ରତ୍ୟୁଷରୁ ବଡ଼ଦାଣ୍ଡରେ ଯାହା ଘରର ଚାଳ ଉପରେ ଅମର ଧଣ୍ଡାମାଳ ପଡ଼ିଥିବା ଦେଖିବୁ, ତାକୁ ହିଁ ଏହି ଯୁଦ୍ଧର ସେନାପତି କରିବୁ ।ଏ ଯୁଦ୍ଧରେ ତୋର ବିଜୟ ହେବ, ତୁ ତୋର ମାନସମ୍ମାନ ଫେରିପାଇବୁ ’ । ପ୍ରତ୍ୟୁଷରୁ ପୁରୁଷୋତ୍ତମ ନିଜେ ବାହାରକୁ ଯାଇ ଦେଖିଲେ ବଡ଼ଦାଣ୍ଡରେ ରାଜନଅରର ଅନତି ଦୂରରେ ଜଣଙ୍କର ଚାଳ ଉପରେ ଫୁଲଧଣ୍ଡା ମାଳ ପଡ଼ିଥିଲା। ଏହା ଦେଖି ମହାରାଜ ପ୍ରହରୀକୁ ଡାକି କହିଲେ ଘରର ମାଲିକଙ୍କୁ ସାଙ୍ଗରେ ନେଇ ଆସିବା ପାଇଁ। ପ୍ରହରୀ ଧଣ୍ଡାମାଳ ପଡ଼ିଥିବାର ଘରର କବାଟରେ ଶବ୍ଦ କରିବା ପରେ ଘରୁ ବାହାରି ଆସିଥିଲେ କେନ୍ଦୁଝରର ସୁଯୋଗ୍ୟ ଦାୟଦ ଗୋବିନ୍ଦ ଭଞ୍ଜ, ଯିଏ ପିତାଙ୍କ ସହ ମତାନ୍ତର ହେବାରୁ କେନ୍ଦୁଝର ଛାଡ଼ି ପୁରୀରେ ରହୁଥିଲେ, କିନ୍ତୁ ନିଜକୁ କେବେ ପରିଚିତ କରାଇନଥିଲେ ରାଜପୁତ୍ର ଭାବେ । ମହାରାଜ ପୁରୁଷୋତ୍ତମ ଦେବ ସେମାନଙ୍କ ଆସିବାକୁ ଅପେକ୍ଷା କରି ରହିଥିଲେ। ଯୁବରାଜ ଗୋବିନ୍ଦ ମହାରାଜଙ୍କୁ ଅଭିବାଦନ ଜଣାଇଲେ। ସୁନ୍ଦର ଓ ବଳିଷ୍ଠ ଯୁବକ ଗୋବିନ୍ଦ ଭଞ୍ଜଙ୍କ ନିକଟରୁ ତାଙ୍କର ପରିଚୟ ପାଇବା ପରେ ପୁରୁଷୋତ୍ତମ ଦେବଙ୍କର ଆନନ୍ଦର ସୀମା ରହିଲା ନାହିଁ। ଗୋବିନ୍ଦ ଭଞ୍ଜଙ୍କୁ ଜଗନ୍ନାଥ ମହାପ୍ରଭୁଙ୍କ ଇଛା କଥା ଜଣାଇ ସେ ତାଙ୍କ ମସ୍ତକରେ, ସ୍ୱହସ୍ତରେ ସେନାପତିର ପାଗ ବାନ୍ଧିଥିଲେ। ସୈନ୍ୟସାମନ୍ତଙ୍କ ଗହଣରେ କାଞ୍ଚି ରାଜ୍ୟର ସୀମାରେ ସେନାପତି ଗୋବିନ୍ଦ ଭଞ୍ଜ ପ୍ରବେଶ କଲେ। ଯାଉଯାଉ ଘୋଡ଼ାଟି ହଠାତ୍ ଠିଆ ହୋଇଗଲା,ଆଗକୁ ଆଦୌ ଗଲାନାହିଁ। ଏଥିରେ ବିଚଳିତ ହୋଇ ଗୋବିନ୍ଦ ଭଞ୍ଜ ଘୋଡ଼ାରୁ ଓହ୍ଲାଇ ପଡ଼ିଲେ। ଘୋଡ଼ା କାହିଁକି ଅଟକିଗଲା ତାହାର କାରଣ ଚିନ୍ତା କରୁକରୁ ଦୃଷ୍ଟିଗୋଚର ହେଲା ମାଆ ତାରିଣୀଙ୍କର ପୀଠ। ସ୍ଥାନୀୟ ଲୋକଙ୍କଠାରୁ ମାଆଙ୍କ ମହିମା ଶୁଣି ପୀଠ ମଧ୍ୟରେ ଦେବୀଭକ୍ତ ଗୋବିନ୍ଦ ଭଞ୍ଜ ପ୍ରବେଶ କଲେ । ବୋଧ ହୁଏ ସେ ପର୍ଯ୍ୟନ୍ତ ଭକ୍ତବତ୍ସଳ ମାଆ ଗୋବିନ୍ଦ ଭଞ୍ଜଙ୍କୁ ଅପେକ୍ଷା କରିଥିଲେ କେନ୍ଦୁଝର ଆସିବା ପାଇଁ। ପୂଜାର୍ଚ୍ଚନାରେ ଲାଗି ପଡ଼ିଥିଲେ ଗୋବିନ୍ଦ । ମାଆ ଯୁଦ୍ଧରେ ବିଜୟୀ ହେବାର ଅଭୟ ବର ପ୍ରଦାନ କଲେ। ଯୁଦ୍ଧରେ ବିଜୟୀ ହୋଇ ସେନାପତି ଗୋବିନ୍ଦ ଭଞ୍ଜ କାଞ୍ଚିର ଇଷ୍ଟଦେବ ଗଣପତିଙ୍କୁ ପୂଜାର୍ଚ୍ଚନା କରିବା ପରେ ମଦନମୋହନ, ରଘୁନାଥ ଜୀଉ ଓ ମାଆ ତାରିଣୀଙ୍କ ସହିତ ପୁରୀକୁ ପ୍ରତ୍ୟାବର୍ତ୍ତନ କଲେ।
୧୪୮୦ରେ କେନ୍ଦୁଝର ରାଜା ତ୍ରିଲୋଚନ ଭଞ୍ଜଙ୍କ ମୃତ୍ୟୁ ପରେ ଗୋବିନ୍ଦ ଭଞ୍ଜ କେନ୍ଦୁଝରର ରାଜା ହେଲେ। ରାଜକାର୍ଯ୍ୟରେ ବ୍ୟସ୍ତ ରହି ମାଆ ତାରିଣୀଙ୍କୁ କେନ୍ଦୁଝର ଆଣିପାରିଲେ ନାହିଁ ବୋଲି ଦୁଃଖ ଅନୁଭବ କରୁଥିଲେ। କରୁଣାମୟୀ ସନ୍ତାନବତ୍ସଳ ମାଆ ଭକ୍ତ ଗୋବିନ୍ଦଙ୍କ ମନକଥା ବୁଝିଲେ। ଅଳ୍ପଦିନ ମଧ୍ୟରେ ଗଜପତି ପୁରୁଷୋତ୍ତମ ଦେବ ଡକାଇ ପଠାଇଲେ ଗୋବିନ୍ଦ ଭଞ୍ଜଙ୍କୁ। ପୁରୀ ଯାଇ ଗଜପତିଙ୍କୁ ସାକ୍ଷାତ କଲେ । ଗଜପତି ତାଙ୍କୁ ‘ଜୟ ଗୋବିନ୍ଦ ଭଞ୍ଜ ମହାରାଜ’ ଉପାଧିରେ ଭୂଷିତ କରି ପୁରୀ ଅଧିନରେ ଥିବା ଆଠଗଡ଼ ଅଞ୍ଚଳ (ଅଧୁନା ଆନନ୍ଦପୁର ସବ୍ଡିଭିଜନ) ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ଏହାକୁ କରଶୂନ୍ୟ ରାଜ୍ୟ ରୂପେ ଭୋଗ ଦଖଲ କରିବାର ଅନୁମତି ଦେଇଥିଲେ। ଗୋବିନ୍ଦ ଭଞ୍ଜ କିନ୍ତୁ ଇଚ୍ଛା ପୋଷଣ କରିଥିଲେ କାଞ୍ଚିରୁ ଆଣିଥିବା ଦେବଦେବୀ ମଦନମୋହନ, ରଘୁନାଥଜୀଉ ଓ ମାଆ ତାରିଣୀଙ୍କୁ ଜଗନ୍ନାଥ, ବଳଭଦ୍ରଓ ସୁଭଦ୍ରାଙ୍କ ବିଗ୍ରହ ତାଙ୍କ ସହିତ କେନ୍ଦୁଝର ନେବାକୁ । ଏହା ଶୁଣି ପୁରୁଷୋତ୍ତମ ଦେବ କହିଲେ: ‘ ସମସ୍ତଙ୍କୁ ତୁମେ ନେଇଯାଇପାର,ମାଆ ତାରିଣୀ ଯେ ପାତାଳୀ ,ତାଙ୍କୁ ତୁମେ ନେବ କିପରି ? ଏଥିରେ ନିରାଶ ନହୋଇ ଗୋବିନ୍ଦ ଭଞ୍ଜ ମାଆଙ୍କ ନିକଟକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ସେହିଦିନ ରାତିରେ, ଗଜପତି ପୁରୁଷୋତ୍ତମ ଦେବଙ୍କୁ ମାଆ ସ୍ୱପ୍ନରେ କହିଲେ, ‘ଗୋବିନ୍ଦ ମୋର ପରମ ଭକ୍ତ । ତା’ସହିତ ମୁଁ କେନ୍ଦୁଝର ଯିବି ,ତାକୁ ଅନୁମତି ଦେ । ’। ପରଦିନ ଗଜପତି ସମସ୍ତ ବୃତ୍ତାନ୍ତ ଶୁଣାଇବା ପରେ ଗୋବିନ୍ଦଙ୍କୁ କହିଲେ, ତୁମେ ଧନ୍ୟ ଗୋବିନ୍ଦ ! ମାଆଙ୍କୁ ନେବାର ବ୍ୟବସ୍ଥା କର। ମାଆଙ୍କୁ କେମିତି ନେବେ ସେହି ଚିନ୍ତାରେ ଗୋବିନ୍ଦ ଧ୍ୟାନମଗ୍ନ ହେଲେ । ମାଆ ସ୍ୱପ୍ନାଦେଶ ଦେଲେ ମୁଁ ଯେପରି ଘୋଡ଼ାରେ ଚଢ଼ି କାଞ୍ଚିରୁ ପୁରୀ ଆସିଥିଲି, ଠିକ୍ ସେମିତି ଘୋଡ଼ାରେ ଚଢ଼ି ତୋ’ ପଛେ ପଛେ ଯିବି। ଘୋଡ଼ା ଚାଲିଲେ ମୋ ପାଦର ନୁପୁର ରୁଣୁଝୁଣୁ ଶବ୍ଦରୁ ତୁ ଜାଣିବୁ ମୁଁ ତୋ ପଛରେ ଯାଉଛି। କିନ୍ତୁ ତୁ ଯଦି ପଛକୁ ଚାହିଁ ମୋତେ ଦେଖିବାକୁ ଚେଷ୍ଟା କରିବୁ, ମୁଁ ପାଷାଣ ହୋଇ ସେହିଠାରେ ରହିବି। ପରଦିନ ଅନ୍ୟ ଦେବଦେବୀଙ୍କ ବିଗ୍ରହ ସହ ଗୋବିନ୍ଦ ଚାଲିଲେ କେନ୍ଦୁଝର ଅଭିମୁଖେ। ପଛେ ପଛେ ଭକ୍ତବତ୍ସଳ ମାଆ ତାରିଣୀ ଘୋଡ଼ାରେ ଚଢ଼ି ଯାଉଥାଆନ୍ତି । ନୁପୁର ରୁଣୁଝୁଣୁ ଶବ୍ଦ ଗୋବିନ୍ଦଙ୍କ କାନରେ ବାଜୁଥାଏ। କିନ୍ତୁ ଲୀଳାମୟୀ ମାଆ ତାରିଣୀଙ୍କ ଲୀଳା ବିଚିତ୍ର । ଆନନ୍ଦପୁର ସୀମା ପାର ହୋଇ ସେ କେନ୍ଦୁଝର ସୀମାରେ ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରବେଶ କଲେ। ଠିକ୍ କେନ୍ଦୁଝରର ମଧ୍ୟସ୍ଥଳରେ ମାୟା ବିସ୍ତାର କଲେ ମାଆ ।ଗୋବିନ୍ଦଙ୍କ ଘୋଡ଼ା ଆଗକୁ ଗଲା ନାହିଁ। ପଛରେ ଆସୁଥିବା ମାଆ ତାରିଣୀଙ୍କ ନୁପୁରର ରୁଣୁଝୁଣୁ ଶବ୍ଦ ମଧ୍ୟ ଶୁଣାଗଲା ନାହିଁ। ଗୋବିନ୍ଦ ବିଚଳିତ ହୋଇ ପଛକୁ ଚାହିଁଦେଲେ, ଦେଖିଲେ, ତ୍ରିଜଗଧାତ୍ରୀ, ଜ୍ୟୋତିର୍ମୟୀ ମାଆ ଘୋଡ଼ା ଉପରେ ବସିଛନ୍ତି। ସର୍ତ୍ତ ଭଗ୍ନ ହୋଇଥିବାରୁ ମାଆ ହେଲେ ପାଷାଣ। ଶୂନ୍ୟବାଣୀ ହେଲା, ମୁଁ ଏହିଠାରେ ରହିବି । ଏହା ଶୁଣି ଗୋବିନ୍ଦ ମର୍ମାହତ ହେଲେ । ମାଆଙ୍କୁ ବିନମ୍ର ପ୍ରଣତି ଜଣାଇ ସେଠାରେ ଦେହୁରୀମାନଙ୍କୁ ରହିବା ବ୍ୟବସ୍ଥା କଲେ ।ସେହିଦିନଠାରୁ ମାଆ ଭଗବତୀ ତାରିଣୀ ଶାଳବଣ ଘେରା ପୀଠରେ ପୂଜା ପାଇ ଆସୁଛନ୍ତି। କେନ୍ଦୁଝରରେ ରହି ମଧ୍ୟ ପ୍ରତ୍ୟହ ରାଜା ଗୋବିନ୍ଦ ଭଞ୍ଜ ଘୋଡ଼ା ଚଢ଼ି ମାଆ ତାରିଣୀଙ୍କ ଦର୍ଶନ କରିବାକୁ ଆସୁଥିଲେ। ।
ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଘୋର ଜଙ୍ଗଲ ମଧ୍ୟରେ ରହି ମାଆଙ୍କର ଯଥାବିଧି ପୂଜାର୍ଚ୍ଚନା କରୁଥିଲେ ଦେହୁରୀମାନେ। ମାତ୍ର ସମୟ ସମୟରେ ପୂଜକ ପରିବାରରେ କେହି ଜନ୍ମ ହେଲେ ବା ମୃତ୍ୟୁ ମୁଖରେ ପଡ଼ିଲେ ମାଆଙ୍କର ପୂଜାର୍ଚ୍ଚନା ବାଧାପ୍ରାପ୍ତ ହେଉଥିଲା। ଦୁର୍ଗମ ଜଙ୍ଗଲରେ ବ୍ରାହ୍ମଣ ନମିଳିବାରୁ ରାଜା ଗୋବିନ୍ଦ ଭଞ୍ଜ ଚିନ୍ତିତ ରହୁଥିଲେ। ଭକ୍ତର କଷ୍ଟ ମାଆ ବୁଝିପାରି ସ୍ୱପ୍ନାଦେଶରେ କହିଲେ, ଗୋଟେ ମାଟିଘଟରେ ଗୋ-ଘୃତ ପୂର୍ଣ୍ଣ କରି ମୋର ଆସ୍ଥାନ ନିକଟରେ ଥିବା କୁସୁମ ବୃକ୍ଷ ଡାଳରେ ବାନ୍ଧିଦେବୁ। ଦେହୁରୀ ପୂଜା ଶେଷରେ ସେହି ପୂଜା ପାଣିକୁ ପ୍ରତିଦିନ ସେହି ଘଟରେ ସିଞ୍ଚିବ । ସେ ଅଶୌଚ ସମୟରେ ସେହି ଘଟରୁ ଟିକିଏ ଘିଅ ପାତ୍ରରେ ନେଇ ପାନ କରିବ ଓ ଆଉ ଟିକେ ଘିଅରେ ଦୁବଘାସ ବୁଡାଇ ମୁଣ୍ଡରେ ସିଞ୍ଚିବ। ଏହାଦ୍ୱାରା ସେ ଅଶୌଚରୁ ମୁକ୍ତି ହୋଇ ମୋର ପୂଜା କରିପାରିବ। ସେହିଦିନଠାରୁ ଘିଅ ଘଟ ବନ୍ଧା ହେବା କାରଣରୁ ମାଆଙ୍କ ପୀଠର ନାମ ହେଲା ଘଟଗାଁ। ।
