ଅନଲାଇନ୍ରେ ଖାଦ୍ୟ ଅର୍ଡର କଲେ କିମ୍ବା ହୋଟେଲ-ଢାବାରେ ଖାଇବାକୁ ଯାଇ ବାସି, ପଚା କିମ୍ବା ଅସ୍ୱଚ୍ଛ ପରିବେଶରେ ପ୍ରସ୍ତୁତ ଖାଦ୍ୟ ମିଳିବା ଘଟଣା ବାରମ୍ବାର ସାମ୍ନାକୁ ଆସୁଛି। ତେବେ ରେଷ୍ଟୁରାଣ୍ଡ କିମ୍ବା ଖାଦ୍ୟ ଆଉଟଲେଟ୍ରେ ଅପରିଷ୍କାର ରୋଷେଇଘର, ପୁରୁଣା/ନଷ୍ଟ ଖାଦ୍ୟ କିମ୍ବା ଅସୁରକ୍ଷିତ ଖାଦ୍ୟ ଦେଖିଲେ ତୁରନ୍ତ ରିପୋର୍ଟ କରିବାକୁ କହିଛି FSSAI । FSSAI ଗ୍ରାହକଙ୍କୁ ତାଙ୍କର “ଆଖି” ହେବାକୁ ଅନୁରୋଧ କରୁଛି । ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଙ୍ଘନ ହୋଇଥିଲେ FSSAI ପ୍ଲାଟଫର୍ମ ମାଧ୍ୟମରେ ଫଟୋ ସହିତ ରିପୋର୍ଟ କରିବାକୁ କହୁଛି । ଏହି ଅଭିଯାନ ନାଗରିକଙ୍କୁ ଅସୁରକ୍ଷିତ ଖାଦ୍ୟ, ଅପରିଷ୍କାର ରୋଷେଇଘର ଏବଂ ଖରାପ ଖାଦ୍ୟ ହ୍ୟାଣ୍ଡଲିଂ ଅଭ୍ୟାସକୁ ଉପେକ୍ଷା ନ କରି ରିପୋର୍ଟ କରିବାକୁ ଉତ୍ସାହିତ କରୁଛି ।ପ୍ରଥମେ ନିଜ ମୋବାଇଲ୍ରେ ‘Food Safety Connect’ ଆପ୍ ଡାଉନଲୋଡ୍ କରନ୍ତୁ। ପରେ ଯେଉଁ ସ୍ଥାନରେ ଅନିୟମ ଦେଖିବେ, ସେଠାର ଫଟୋ ଉଠାଇ ଆପ୍ରେ ଅପଲୋଡ୍ କରନ୍ତୁ। ହୋଟେଲ କିମ୍ବା ଢାବାର ସଠିକ୍ ନାମ ଓ ଠିକଣା ଦେଇ ଅଭିଯୋଗ ସବମିଟ୍ କରନ୍ତୁ।ଅଭିଯୋଗ ସିଧାସଳଖ ସମ୍ପୃକ୍ତ ଅଞ୍ଚଳର Food Safety Officer (FSO)ଙ୍କ ଡିଜିଟାଲ୍ ଡ୍ୟାସ୍ବୋର୍ଡକୁ ପହଞ୍ଚିବ। ଏହାପରେ ଅଧିକାରୀ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବେ। ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ଉପରେ ଭାରି ଜୋରିମାନା ଲାଗିପାରେ ଏବଂ ତାଙ୍କର ଖାଦ୍ୟ ବିକ୍ରୟ ଲାଇସେନ୍ସ ମଧ୍ୟ ବାତିଲ କରାଯାଇପାରେ।
