ପୁଣି ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ। ହିଣ୍ଡେନବର୍ଗ ରିପୋର୍ଟ ପରେ ଦୋହଲି ଯାଇଥିବା ଆଦାନି ସାମ୍ରାଜ୍ୟ ପୁଣିଥରେ ଶକ୍ତି ଯୋଗାଡ଼ କରି ଆଗକୁ ବଢିଛି। ଏହା ସହିତ ଗୌତମ ଆଦାନି ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଭାରତ ଏବଂ ଏସିଆର ଏକ ନମ୍ବର ଧନୀ ତାଲିକାରେ ପ୍ରଥମ ସ୍ଥାନ ଦଖଲ କରିଛନ୍ତି। ଆଦାନି ବିଶ୍ୱ ଧନୀ ତାଲିକାରେ ମଧ୍ୟ ଲମ୍ବା ଡିଆଁ ମାରି ୧୨ ନମ୍ବର ତାଲିକାରେ ପହଞ୍ଚିଛନ୍ତି ଏବଂ ତାଙ୍କ ପଛକୁ ମୁକେଶ ଅମ୍ବାନୀ ୧୩ତମ ସ୍ଥାନରେ ରହିଛନ୍ତି। ଗତବର୍ଷ ତୁଳନାରେ ଉଭୟ ଆଦାନୀ ଏବଂ ଅମ୍ବାନୀଙ୍କ ରାଙ୍କିଙ୍ଗ୍ରେ ଉନ୍ନତି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଗୌତମ ଆଦାନୀଙ୍କ ସମ୍ପତ୍ତି ୭.୬ ବିଲିୟନ ଡଲାର ବୃଦ୍ଧି ପାଇ ୯୭.୬ ବିଲିୟନ ଡଲାରରେ ପହଞ୍ଚିଛି। ଅପରପକ୍ଷେ, ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୯୭ ବିଲିୟନ ଡଲାର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କ ଆୟ ୬୬୫ ମିଲିୟନ ଡଲାର ବୃଦ୍ଧି ପାଇଛି।
ତେବେ ଆଦାନି-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଆଦାନି ସମୂହ କମ୍ପାନୀ ମାନଙ୍କର ଶେୟାର ମୂଲ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଗୌତମ ଆଦାନିଙ୍କ ସମ୍ପତ୍ତି ବୃଦ୍ଧି ପାଇଛି। ସୁପ୍ରିମକୋର୍ଟ ଶୁଣାଣି ସମୟରେ କହିଥିଲେ ଯେ ଏହି ଘଟଣାରେ ସେବି’ର ତଦନ୍ତ ସଠିକ୍ ମାର୍ଗରେ ଅଛି। ଏହାସହ ସେବି’କୁ ୨୪ ଟି ମଧ୍ୟରୁ ଅବଶିଷ୍ଟ ୨ ମାମଲାର ତଦନ୍ତ କରିବାକୁ ଆଉ ୩ ମାସ ସମୟ ଦେଇଛନ୍ତି।