ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାପାନ କନସୁଲ ଜେନେରାଲ

ଆଗାମୀ ଦିନରେ ବୃଦ୍ଧି ପାଇବ ଓଡ଼ିଶା ଓ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ସହଭାଗୀତା । ବାଣିଜ୍ୟ, ପର୍ଯ୍ୟଟନ, ପୁଞ୍ଜିନିବେଶ ଏବଂ ଶିକ୍ଷା କ୍ଷେତ୍ରରେ ସହଭାଗୀତାକୁ ସୁଦୃଢ କରିବା ପାଇଁ ଜାପାନ ଏବଂ ଓଡିଶା ସରକାର ଆଗେଇ ଆସିଛନ୍ତି ।କୋଲକାତାରେ ଅବସ୍ଥାପିତ ଜାପାନର କନସୁଲ୍ ଜେନେରାଲ ମିଷ୍ଟର ଇସିକାୱା ୟୋସିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଜାପାନ ଓ ଓଡିଶା ମଧ୍ୟରେ ସହଭାଗୀତା ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡିଶାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପରେ ଜାପାନର ସହଯୋଗ ଏବଂ କ୍ରମବର୍ଦ୍ଧିଷ୍ଣୁ ବାଣିଜ୍ୟିକ ସମ୍ପର୍କ ପାଇଁ ଜାପାନର ଉଚ୍ଚ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଜାପାନ ଓଡିଶାରେ ଅଧିକ ନିବେଶ କରିବା ସହିତ ଓଡିଶାର ଶିଳ୍ପାୟନ ପ୍ରକ୍ରିୟାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।ବୈଠକର ନିଷ୍ପତ୍ତି ଅନୁଯାୟୀ ଜାପାନର ଏକ ରାଜ୍ୟ ‘ତୋତ୍ତୋରି’ (Tottori Prefecture) ଓ ଓଡିଶା ମଧ୍ୟରେ ସହଭାଗୀତା ହେବ । ଏହି ଉଭୟ ରାଜ୍ୟ ‘ସିଷ୍ଟର ଷ୍ଟେଟ୍‌ସ’ ଭାବରେ କାର୍ଯ୍ୟ କରିବେ । ଉଭୟ ରାଜ୍ୟର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଆଗାମୀ ଦିନରେ ପରସ୍ପର ରାଜ୍ୟକୁ ଗସ୍ତ କରିବେ । ପରବର୍ତ୍ତୀ ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ଏବଂ ତୋତ୍ତୋରି’ର ରାଜ୍ୟପାଳ ଏହି ପାର୍ଟନରସିପ୍ ସମ୍ପର୍କରେ ଅଧିକୃତ ଘୋଷଣା କରିବେ । ଏହା ମାଧ୍ୟମରେ ଉଭୟ ରାଜ୍ୟ ମଧ୍ୟରେ ବାଣିଜ୍ୟ, ପ୍ରଯୁକ୍ତି, ସାଂସ୍କୃତିକ ଓ ଶିକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ ।

ଅଧିକ ପଢନ୍ତୁ