ମୁଜାଫରପୁରର ପ୍ରସାଦ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ବଞ୍ଚିବାକୁ ଆସି ଜଳିଗଲେ ରୋଗୀ ।, ରାତି ଅଧରେ ଲାଗିଗଲା ନିଆଁ ଆଉ ଦୁର୍ଘଟଣା ନେଇଗଲା ୫ ଜଣଙ୍କ ଜୀବନ । ମୃତ୍ୟୁର ତାଣ୍ଡବ ଏବଂ ଭୟାବହତା ଭିତରେ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଉ ଏହାରି ଭିତରେ ଏମିତି ଏକ କାହାଣୀ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ,ଚକିତ କରିଛି । ଜଣେ ୯୫ ବର୍ଷର ବୃଦ୍ଧା ନିଜର ସାହସ ଏବଂ ବୁଦ୍ଧିବିବେକ ବଳରେ ଅନେକ ରୋଗୀଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି ।୯୫ ବର୍ଷୀୟା ବୃଦ୍ଧା ମହିଳା ନିଜେ ସେହି ICUରେ ଭର୍ତ୍ତି ହୋଇଥିଲେ ଯେଉଁଠାରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।ଆଇସିୟୁରେ ଧୂଆଁ ବ୍ୟାପିବା ମାତ୍ରେ ଏହି ୯୫ ବର୍ଷ ବୟସ୍କା ଜେଜେମା ’ମୁହଁରୁ ଅକ୍ସିଜେନ୍ ମାସ୍କ ବାହାର କରି ସଙ୍ଗେ ସଙ୍ଗେ ଉଠି ବାହାରକୁ ଆସିଲେ। ତା’ପରେ ସେ ଆଇସିୟୁରେ ନିଆଁ ଲାଗି ନର୍ସଙ୍କୁ ସୂଚନା ଦେଇଥିଲେ । ଏହା ପରେ ଡାକ୍ତରଖାନା ପ୍ରଶାସନର ଲୋକମାନେ ତୁରନ୍ତ ସକ୍ରିୟ ହୋଇ ରୋଗୀଙ୍କୁ ବାହାରକୁ ନିଆଗଲା। ଅଗ୍ନିଶମ ବିଭାଗକୁ ମଧ୍ୟ ସୂଚନା ଦିଆଯାଇଥିଲା ।
ଏହି ୯୫ ବର୍ଷୀୟ ବୃଦ୍ଧା ମହିଳା ଜଣକ ମୁଜାଫରପୁରର ଛାପରା ମେଘର ବାସିନ୍ଦା । ତାଙ୍କ ନାମ ରାଧା ଦେବୀ। ତାଙ୍କ ସହିତ ଥିବା ପରିବାର ସଦସ୍ୟମାନେ କହିଛନ୍ତି ଯେ ତାଙ୍କର ରକ୍ତଚାପ ଏବଂ ନିଶ୍ୱାସ ନେବାରେ କଷ୍ଟ ହେବା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରାଧା କହିଥିଲେ ଯେ ନିଆଁ ଲାଗିବା ସମୟରେ ହଠାତ୍ ଅନ୍ଧାର ହୋଇଗଲା । “ମୁଁ କିପରି କହିବି ଯେ ନିଆଁ କିପରି ଲାଗିଲା ? ଧୂଆଁ ବ୍ୟାପିବା ମାତ୍ରେ ମୁଁ ବାହାରକୁ ଆସି ‘ମାଡାମ’ (ନର୍ସ)ଙ୍କୁ ଜଣାଇଲି; ତା’ପରେ ସେ ଦେଖିବାକୁ ପାଇଁ ଭିତରକୁ ଗଲେ ।”ସ୍ଥାନୀୟ ଲୋକଙ୍କ କହିବା କଥା, ଯଦି ରାଧା ଦେବୀ ଆଉ କିଛି ମିନିଟ୍ ବିଳମ୍ବ କରିଥାନ୍ତେ ତେବେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିଯାଇଥା’ନ୍ତା। ଏହି ବୟସରେ ଯେଉଁଠି ସାଧାରଣ ଲୋକେ ଆତ୍ମବିଶ୍ୱାସ ହରାଇ ବସନ୍ତି, ସେଠାରେ ରାଧା ଦେବୀଙ୍କର ଏହି କାମ ଏବଂ ସାହସ ସମସ୍ତଙ୍କ ପାଇଁ ଏକ ବଡ଼ ଉଦାହରଣ ପାଲଟିଛି। ବର୍ତ୍ତମାନ ସୋସିଆଲ୍ ମିଡିଆ ଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ରାଧାଦେବୀଙ୍କ ସାହସକୁ ଭୁରି ଭୁରି ପ୍ରଶଂସା କରାଯାଉଛି।
