କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ସର୍ବସାଧାରଣ ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି। ଏଭଳି ଏକ ବିତର୍କ ପରେ ପ୍ରଧାନମନ୍ତ୍ରୀ ଆଉ ନିଜ ପଦବୀରେ ରହିପାରିବେ ନାହିଁ ବୋଲି ସେ ଦାବି କରିଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, “ମୁଁ ସଂସଦରେ ବିତର୍କ କରିବାକୁ ଚେଷ୍ଟା କରିଥିଲି, କିନ୍ତୁ ଆପଣମାନେ ମାଇକ୍ ଅଫ୍ କରି ଦିଅନ୍ତି । ଆପଣ ମୋତେ କୃଷକ ଆଇନ ଉପରେ କହିବାକୁ ଦେଲେ ନାହିଁ । ଭୋଟ୍ ଚୋରି, ଏସ୍ଆଇଆର୍, ଚୀନ୍ ପ୍ରସଙ୍ଗ, ଜେନେରାଲ୍ ନରୱଣେଙ୍କ ପୁସ୍ତକ ଏବଂ ଏପିଷ୍ଟାଇନ୍ ମାମଲା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମତେ କହିବାକୁ ଦିଆଗଲା ନାହିଁ ।” ତେବେ ଏପରିକି ଏହି ବିତର୍କରେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ କିମ୍ବା ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ବିଚାରପତି ଭାବେ ନିଯୁକ୍ତ କରାଗଲେ ମଧ୍ୟ ତାଙ୍କର କୌଣସି ଆପତ୍ତି ରହିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, ବିଜେପି ନେତାମାନେ ରାହୁଲ ଗାନ୍ଧୀଙ୍କ ଏହି ଆହ୍ୱାନକୁ ଅଗ୍ରାହ୍ୟ କରିବା ସହ ସେ ସଂସଦୀୟ ବିତର୍କରୁ ଦୂରେଇ ରହୁଥିବା ପାଲଟା ଅଭିଯୋଗ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବିତର୍କ ପାଇଁ ସଂସଦ ଭଳି ଏକ ଉପଯୁକ୍ତ ମଞ୍ଚ ପୂର୍ବରୁ ଉପଲବ୍ଧ ରହିଛି। ଲୋକସଭାର ବିରୋଧୀ ଦଳ ନେତା ଭାବେ ରାହୁଲ ଗାନ୍ଧୀ କିଛି ଗମ୍ଭୀରତା ଏବଂ ଦାୟିତ୍ୱବୋଧ ଦେଖାଇବା ଉଚିତ୍ ବୋଲି ସେ ପରାମର୍ଶ ଦେଇଛନ୍ତି।
