ରଥଯାତ୍ରା ପାଇଁ ଓଡ଼ିଶା ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ: ପୋଲିସ ମହାନିର୍ଦ୍ଦେଶକ

ଆସନ୍ତା ଗୁରୁବାର ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ମହାପ୍ରଭୁଙ୍କ ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁରକ୍ଷିତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ, ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ସୁପରିଚାଳନା ନେଇ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି ପୋଲିସ ବିଭାଗର। ଏଣୁ ରଥଯାତ୍ରା ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର ବୈଠକରେ ପୋଲିସର ଭୂମିକା ଏବଂ ଦାୟିତ୍ଵ ସମ୍ପର୍କରେ ପୋଲିସ ଅଧିକାରୀଙ୍କୁ ସଚେତନ କରାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ। ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀକ୍ଷେତ୍ରକୁ ଆସିବେ। ଏଣୁ ଶୃଙ୍ଖଳିତ ରଥଯାତ୍ରା ସହିତ ଭକ୍ତଙ୍କୁ ସେବା ଏବଂ ବନ୍ଧୁତ୍ବପୂର୍ଣ୍ଣ ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି ପୋଲିସ ଡିଜି। ଜଗନ୍ନାଥଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରି ସମ୍ପୂର୍ଣ୍ଣ ମାନବୀୟ ବ୍ୟବହାର ପ୍ରଦର୍ଶନ କରିବାକୁ ଡିଜିପି ପୋଲିସ ଅଧିକାରୀଙ୍କୁ ସଚେତନ କରାଇଛନ୍ତି।ତେବେ ପୋଲିସ ଡ଼ିଜିଙ୍କ ସୂଚନା ଅନୁସାରେ ଚଳିତ ରଥଯାତ୍ରାକୁ ଶୃଙ୍ଖଳିତ ଭାବରେ ପରିଚାଳନା କରିବା ପାଇଁ ୧୩ ହଜାର ପୋଲିସ କର୍ମଚାରୀ ମୁତୟନ ହେବାକୁ ଥିବା ବେଳେ ୧୯ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ପୋଲିସ ପରିଚାଳନା ଭାର ଦାୟିତ୍ଵ ଦିଆଯାଇଛି। ସମୁଦ୍ର ପଥରେ ମେରାଇନ ପୋଲିସ ଏବଂ କୋଷ୍ଟ ଗାର୍ଡ ଓ ନ୍ୟାଭି ରଥଯାତ୍ରାରେ ସୁରକ୍ଷା ଦାୟିତ୍ବରେ । ଓଡ଼ିଶା ପୋଲିସ ସହିତ ବିଏସଏଫ, ସିଆରପିଏଫ, ଏନ୍ ଏସ୍ ଜି, ରାପିଡ ଆକ୍ସନ ଫୋର୍ସକୁ ମିଶାଇ ୧୫ କମ୍ପାନୀ ସେଣ୍ଟ୍ରାଲ ଫୋର୍ସ, ଓଡ଼ିଶା ପୋଲିସର ଏସଟିୟୁ କମାଣ୍ଡୋ, ଡଗ ସ୍କ୍ୱାଡ୍ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଦାୟିତ୍ଵରେ ରହିବେ। ସେହିପରି ଆକାଶ ମାର୍ଗରୁ ଡ୍ରୋନ୍ ଦ୍ବାରା ସମ୍ପୂର୍ଣ୍ଣ ପୁରୀ ସହର ଉପରେ ନଜର ରଖିବ ପୋଲିସ। ରଥଯାତ୍ରାରେ ୪୭୦ ଟି ଏଆଇ ସିସିଟିଭି କ୍ୟାମେରା ଦ୍ବାରା ସମ୍ପୂର୍ଣ୍ଣ ପୁରୀ ସହର ଏବଂ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ଉପରେ କଡ଼ା ନଜର ରଖାଯିବ।

ଅଧିକ ପଢନ୍ତୁ