ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ରଥଖଳା। ରଥ ନିର୍ମାଣ ଅବସରରେ ଚକ ପାଇଁ ତୁମ୍ବ ଓ ଅର କଣ୍ଟା ତିଆରି ଜାରି ରହିଛି । କରତି ସେବକ ଗଡ଼ କାଟିବା ପରେ ଭୋଇ ସେବକମାନେ ବିଶ୍ୱକର୍ମାଙ୍କୁ ଯୋଗାଉଛନ୍ତି । ଆଗେଇ ଚାଲଛି ତୁମ୍ବ ନିର୍ମାଣ କାର୍ଯ୍ୟ। ଚତୁର୍ଥ ଦିନରେ ତିନି ରଥର ନିର୍ମାଣ କାରୀ ସେବକ ମାନେ ସକାଳ ୮ ଟାରୁ ରଥଖଳା ଠାରେ ନିର୍ମାଣ କାର୍ଯ୍ୟରେ ଆରମ୍ଭ କରିଛନ୍ତି । ଆଜି ସୁଦ୍ଧା ୪୨ ଗୋଟି ତୁମ୍ବ ମଧ୍ୟରୁ ୨୧ଟି ତୁମ୍ବ ମାପ ପ୍ରକାରେ ଗଡ଼ କରି କରତି ସେବକମାନେ ତିନି ରଥଚାଳିକୁ ଯୋଗାଇ ଦେଇଛନ୍ତି। ପ୍ରତ୍ୟେକ ଚାଳିକୁ ୭ଟି ଲେଖାଏଁ ତୁମ୍ବ ଯୋଗାଇଛନ୍ତି। ଉକ୍ତ ତୁମ୍ବ ଗଡ଼ଗୁଡ଼ିକରୁ ତିନି ରଥ ମହାରଣା ସେବକମାନେ ଆଜି ସୁଦ୍ଧା ୧୦ଟି ତୁମ୍ବ ଗଡ଼କୁ ବାରିସିରେ ହାଣି ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି। ତାଳଧ୍ବଜ ରଥ ଚାଳିକୁ ଯୋଗାଇ ଦିଆଯାଇଥିବା ମୋଟ ୭ଟି ତୁମ୍ବ ଗଡ଼ରୁ ନିର୍ମାଣକାରୀ ସେବକମାନେ ୪ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି। ଆଉ ୩ଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରି ରଖିଛନ୍ତି। ଏଥିସହ ଆଜି ସୁଦ୍ଧା ଦେବୀ ରଥର ଚାଳିକୁ ଯୋଗାଇ ଦିଆଯାଇଥିବା ୭ଟି ତୁମ୍ବ ମଧ୍ୟରୁ ୩ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଦେବୀ ରଥ ମହାରଣା ସେବକମାନେ ଶେଷ କରି ଅନ୍ୟ ୪ଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରି ରଖିଛନ୍ତି। ନନ୍ଦିଘୋଷ ରଥ ଚାଳିକୁ ଯୋଗାଇ ଦିଆଯାଇଥିବା ୭ଟି ତୁମ୍ବ ଗଡ଼ ମଧ୍ୟରୁ ୩ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହୋଇଛି। ଆଉ ୪ଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରି ରହିଛି। ଦୋଳବେଦିସ୍ଥିତ ଅସ୍ଥାୟୀ କମାରଶାଳରେ ଗତକାଲି ଶାଳ ପୂଜା ହେବା ପରେ ଶୁଭ ଦେଇ ଅନୁକୂଳ ଅର କଣ୍ଟା ନିର୍ମାଣ ଆରମ୍ଭ ହୋଇଛି।
