ଭୀଷଣ ଗରମ, ପ୍ରବଳ ଗୁଳୁଗୁଳି। ଦୁଇ ସପ୍ତାହ ହେବ ଏହି ଯନ୍ତ୍ରଣାରେ ଘାଣ୍ଟି ଚକଟି ହେଉଛନ୍ତି ସାରା ରାଜ୍ୟବାସୀ।ରାଜ୍ୟର ବିଭିନ୍ନ ଅଞ୍ଚଳରେ ହୋଇଥିବା କାଳବୈଶାଖୀ ବର୍ଷା ପ୍ରକୃତିକୁ ଶୀତଳ କରିଦେଇଛି । ସୂର୍ଯ୍ୟଙ୍କ ପ୍ରଖର କିରଣ ଏବଂ ନିଆଁ ବର୍ଷା କରୁଥିବା ଝାଞ୍ଜି ପବନର ପ୍ରଭାବକୁ ଧୋଇ ଦେଇଛି ବର୍ଷା। ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ବର୍ଷା ଯୋଗୁଁ ପାରଦ ହଠାତ୍ ତଳକୁ ଖସିଆସିଛି। ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଦିନର ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୫ ରୁ ୮ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଥିବା ରେକର୍ଡ ହୋଇଛି।
ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ଗୁରୁବାର ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଓ ଉପକୂଳ ଏବଂ ଦକ୍ଷିଣର କିଛି ଜିଲ୍ଲାରେ ଗୁଳୁଗୁଳି ପ୍ରଭାବ ରହିପାରେ । ଶୁକ୍ରବାର ଠାରୁ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବନି । କେବଳ ଗୁଳୁଗୁଳି ପ୍ରକୋପ ରହିପାରେ ୩୧ ଯାଏ ।
