ରାଜ୍ୟସ୍ତରୀୟ ବର୍ଷା କବିତା ଆସର ଏବଂ ସଂକ୍ଷିପ୍ତ ଭାଗବତ ଲୋକାର୍ପଣ

ନୟାଗଡ଼,(ଓଡ଼ିଶା ଦର୍ପଣ): କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ,ନୟାଗଡ଼ ପକ୍ଷରୁ ରାଜ୍ୟସ୍ତରୀୟ ବର୍ଷା କବିତା ଆସର ଏବଂ ପଣ୍ଡିତ କୈଳାସ ଚନ୍ଦ୍ର ରଥଙ୍କ ଦ୍ୱାରା ରଚିତ ଶ୍ରୀମଦ ସଂକ୍ଷିପ୍ତ ଭାଗବତ ବୃକ୍ଷ (ସପ୍ତାକ୍ଷରୀ ଛନ୍ଦ) ପୁସ୍ତକର ଲୋକାର୍ପଣ ଉତ୍ସବ ଆଜି ପୂର୍ବାହ୍ନରେ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଆୟୋଜିତ ଏହି କବିତା ଆସର ଏବଂ ସାହିତ୍ୟ ସଭାରେ ପରିଷଦ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିବା ବେଳେ  ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମଧୁମିତା ରଥ ଯୋଗଦାନ କରି ସଂକ୍ଷିପ୍ତ ଭାଗବତ ଉନ୍ମୋଚନ କରିଥିଲେ।କବି ଅଶୋକ ମଲ୍ଲ ପୁସ୍ତକଟିର ସମୀକ୍ଷା କରିଥିଲେ।

ଅନ୍ୟତମ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ,ଅଭିମନ୍ୟୁ ସାମନ୍ତ ସିଂହାର ସାହିତ୍ୟ ଗବେଷକ କବି ଡ. ଶରତ କୁମାର ଜେନା, ଆକାଶବାଣୀ କଟକ କେନ୍ଦ୍ରର ସ୍ୱୀକୃତି ପ୍ରାପ୍ତ ଗୀତିକାର, କବି,ଉଦ୍‌ଘୋଷକ ତଥା ନାଟ୍ୟକାର ବିରଞ୍ଚି ନାରାୟଣ ତ୍ରିପାଠି ଏବଂ ସୁସାହିତ୍ୟିକ ତଥା ସୁବକ୍ତା କବି ଡ.ନିତ୍ୟ ସୁନ୍ଦର ସିଆ ପ୍ରମୁଖ ଯୋଗଦାନ କରି ବର୍ଷା ସମ୍ପର୍କିତ ବିଭିନ୍ନ କାବ୍ୟ କବିତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।  ସଭା ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଧୂପ,ପୁଷ୍ପ ଅର୍ପଣ କରିଥିଲେ। ପରେ ଅତିଥି ମାନଙ୍କ ଦ୍ୱାରା ଲେଖକ କୈଳାସ ଚନ୍ଦ୍ର ରଥ, ଶିଶୁ କବି ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ପ୍ରକାଶକ ଶୁଭ କିଶୋର ଦାଶ, କବି ରମେଶ ଚନ୍ଦ୍ର ରଥ ଏବଂ ଶାନ୍ତିଲତା ରଥ ପ୍ରମୁଖ ସମ୍ବର୍ଦ୍ଧିତ ହୋଇଥିଲେ ।

ଅନୁଷ୍ଠାନର ସମ୍ପାଦକ କଣ୍ଠଶିଳ୍ପୀ ତଥା କବି ପ୍ରଶାନ୍ତ କୁମାର ଦାଶ  ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନୁଷ୍ଠାନର ସହ ସମ୍ପାଦକ ଲକ୍ଷ୍ମୀଧର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଅଧ୍ୟାପିକା ନୀଳିମା ନନ୍ଦ, ରବୀନ୍ଦ୍ର ମହାପାତ୍ର, ନୀଳମାଧଵ ମିଶ୍ର,ବଂଶୀଧର ମହାପାତ୍ର ଏବଂ ଗୀତାଞ୍ଜଳି ଦଳେଇଙ୍କ ମିଳିତ ସଂଯୋଜନାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ କବି ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିବା ବେଳେ ସେମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧନା ଦିଆ ଯାଇଥିଲା ।

ଅଧିକ ପଢନ୍ତୁ