
ନୟାଗଡ଼,(ଓଡ଼ିଶା ଦର୍ପଣ): ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ(ଓଲଷ୍ଟା), କଟକର ୩୨ ତମ ରାଜ୍ୟସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଓ ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀଙ୍କ ୩୭ ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଆସନ୍ତା ୫ ଓ ୬ ତାରିଖ ଦୁଇଦିନ ଧରି ‘ପଠାଣି ସାମନ୍ତ ସଂସ୍କୃତି ଭବନ’ ନୟାଗଡ଼ଠାରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ କାର୍ଯ୍ୟରତ ପ୍ରାୟ ୧ ହଜାରରୁ ୧୨ଶହ ଶିକ୍ଷକ ପ୍ରତିନିଧି ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ବିଶାଳ କାର୍ଯ୍ୟକ୍ରମର ସଫଳତା ନେଇ ଏହାର ପ୍ରଥମ ପ୍ରସ୍ତୁତି ବୈଠକ ସଂଘର ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନାଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ଉପକଣ୍ଠ ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ନିଷ୍ପତ୍ତି ଅନୁଯାଇ ଆଗାମୀ ସାମ୍ବିଧାନିକ ସମ୍ମିଳନୀ ଅବସରରେ ଏକ ଶିକ୍ଷା ସେମିନାର ଅନୁଷ୍ଠିତ ହେବ। ଏଥିରେ ସାଧାରଣ ଶିକ୍ଷା ବ୍ୟବସ୍ଥା, ଓଡ଼ିଶାରେ ପ୍ରାଥମିକ ଶିକ୍ଷାର ସ୍ଥିତି, ଶିକ୍ଷା ଅଧିକାର ଆଇନ, ଶିକ୍ଷା ସମସ୍ୟା, ଶିକ୍ଷକ ଆନ୍ଦୋଳନ, ଶିକ୍ଷା ଅଧିକାର ଓ ଗଣତାନ୍ତ୍ରିକ ଆନ୍ଦୋଳନ ଶିକ୍ଷା ଓ ସମ୍ବିଧାନ, ଶିଶୁ ଅଧିକାର ଓ ସାମ୍ପ୍ରତିକ ସମୟରେ ଶିକ୍ଷାର ବିକାଶ ଆଦି ସମ୍ପର୍କରେ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ଓଲଷ୍ଟା ସଂଗଠନର ମୁଖପତ୍ର ‘ଶିକ୍ଷକ ଦର୍ପଣ’ର ଏକ ‘ସମିଳନୀ ବିଶେଷାଙ୍କ’ ପ୍ରକାଶିତ ହେବ। ଏହା ସହିତ ଏହି ଦୁଇଦିନିଆ ସମିଳନୀରେ ଯୋଗଦାନ କରିବାକୁ ଥିବା ସମସ୍ତ ଶିକ୍ଷକ ପ୍ରତିନିଧି ମାନଙ୍କର ରହିବା ଏବଂ ଖାଇବାର ସୁବନ୍ଦୋବସ୍ତ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା। ଏହି ପ୍ରସ୍ତୁତି ବୈଠକରେ ଓଲଷ୍ଟା ଶିକ୍ଷକ ସଂଗଠନ,କଟକର ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଅନ୍ୟତମ ଉପଦେଷ୍ଟା ଅମର ବିଳାସ ବେହେରା,ରାଜକୁମାର ସାହୁ, ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା, ଯୁଗ୍ମ ସାଧାରଣ ସମ୍ପାଦକ ସୁଦର୍ଶନ ସ୍ୱାଇଁ, କୋଷାଧ୍ୟକ୍ଷ ଯୁଧିଷ୍ଠିର ପ୍ରଧାନ, ଯୁଗ୍ମ ସମ୍ପାଦକ କବିରାଜ ବିଶ୍ୱାଳ, ଓଲଷ୍ଟା, ନୟାଗଡ଼ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ସାମନ୍ତରାୟ, ସହ ସମ୍ପାଦକ ନୀଳାଦ୍ରି ବିହାରୀ ସୁବୁଦ୍ଧି ତଥା ପୂର୍ବତନ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ଶେଖ ଅବଦୁଲ ଖାଲିକ, ଲକ୍ଷ୍ମୀଧର ସାହୁ ଏବଂ ସାମାଜିକ କର୍ମୀ ପବିତ୍ର କୁମାର ଇନ୍ଦ୍ରଜିତ ପ୍ରମୁଖ ଯୋଗଦାନ କରି ଆଗାମୀ ଶିକ୍ଷକ ସମ୍ମିଳନୀକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ। ଆସନ୍ତା ୨୭ ତାରିଖରେ ପୁନର୍ବାର ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି କରିବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଥିଲା। ଏଥିରେ ନୟାଗଡ଼ ଜିଲାର ସମସ୍ତ ସୌଭାତୃତ୍ୱ ଶିକ୍ଷକ ସଂଗଠନ ନେତୃତ୍ୱ ମାନଙ୍କୁ ନେଇ ପ୍ରସ୍ତୁତି ବୈଠକ କରାଯାଇ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ଅଲୋଷ୍ଟା ରାଜ୍ୟ ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା ସୂଚନା ପ୍ରଦାନ କରିଛନ୍ତି। ଶେଷରେ ଯୁଗ୍ମ ସମ୍ପାଦକ କବିରାଜ ବିଶ୍ୱାଳ ପ୍ରସ୍ତୁତି ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।By:Laxmidhar Sahoo
