ରାୟଗଡ଼, ୦୩/୦୬: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ଏବଂ ଓଡ଼ିଶା ସରକାରଙ୍କ ଶ୍ରମ ଓ ଇ.ଏସ.ଆଇ ବିଭାଗର ମିଳିତ ସହଯୋଗରେ ଆଜି ରାୟଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଶିଶୁ ଶ୍ରମ ନିରାକରଣ ଅଭିଯାନ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। “ପ୍ରତ୍ୟେକ ଶିଶୁ ଶିଖୁ, ବଢ଼ୁ ଓ ସ୍ୱପ୍ନ ଦେଖୁ” ସ୍ଲୋଗାନକୁ ଆଧାର କରି ଆୟୋଜିତ ଏହି କର୍ମଶାଳାରେ ଶିଶୁ ଶ୍ରମ ନିରାକରଣ, ଶିଶୁ ଅଧିକାର ସୁରକ୍ଷା, ଶିକ୍ଷାର ଅଧିକାର ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱିତ କାର୍ଯ୍ୟପଦ୍ଧତି ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମର ଆରମ୍ଭରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଳକର୍ଣ୍ଣୀ ସ୍ୱାଗତ ଭାଷଣ ପ୍ରଦାନ କରି ଶିଶୁ ସୁରକ୍ଷା କ୍ଷେତ୍ରରେ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ ରାୟଗଡ଼ ପରି ଆଦିବାସୀ ବହୁଳ ଜିଲ୍ଲାରେ ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା ଓ ସାମଗ୍ରିକ ବିକାଶକୁ ପ୍ରଶାସନ ସର୍ବୋଚ୍ଚ ପ୍ରାଥମିକତା ଦେଉଥିବା କହିଥିଲେ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଓ.ଏସ.ସି.ପି.ସି.ଆର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର କହିଥିଲେ ଯେ ଶିଶୁ ଶ୍ରମ କେବଳ ଆଇନଗତ ଅପରାଧ ନୁହେଁ, ବରଂ ଏହା ଶିଶୁମାନଙ୍କ ଅଧିକାର ଓ ସ୍ୱପ୍ନ ପ୍ରତି ଏକ ଗୁରୁତର ଆଘାତ। ଯେଉଁ ସମାଜରେ ଶିଶୁମାନେ ନିର୍ଭୟରେ ଶିକ୍ଷା ଗ୍ରହଣ କରନ୍ତି ଏବଂ ନିଜ ପ୍ରତିଭାର ବିକାଶ କରନ୍ତି, ସେହି ସମାଜ ହିଁ ପ୍ରକୃତ ଅର୍ଥରେ ଏକ ବିକଶିତ ଓ ମାନବିକ ସମାଜ। ଦାରିଦ୍ର୍ୟ, ଅଶିକ୍ଷା, ନିଶାସକ୍ତି, ଭିକ୍ଷାବୃତ୍ତି ଏବଂ ଶିଶୁ ଚାଲାଣ ଭଳି କାରଣଗୁଡ଼ିକ ଶିଶୁ ଶ୍ରମ ବୃଦ୍ଧିରେ ସହାୟକ ହେଉଥିବା ବେଳେ ଏହାର ନିରାକରଣ ପାଇଁ ସମାଜର ସମସ୍ତ ସ୍ତରର ସକ୍ରିୟ ସହଭାଗିତା ଆବଶ୍ୟକ ବୋଲି ସେ କହିଥିଲେ।
କର୍ମଶାଳାରେ ରାୟଗଡ଼ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରସାଦ ଯୋଗଦେଇ କିଶୋର ନ୍ୟାୟ (Juvenile Justice) ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଶିଶୁ ଅଧିକାର ସୁରକ୍ଷା କେବଳ ଏକ ବିଭାଗର ଦାୟିତ୍ୱ ନୁହେଁ, ବରଂ ସମଗ୍ର ସମାଜର ଏକ ସାମୂହିକ ଦାୟିତ୍ୱ। ଶିଶୁ କଳାକାର (Child Artist) ଏବଂ ଶିଶୁ ଶ୍ରମ (Child Labour) ମଧ୍ୟରେ ଥିବା ମୌଳିକ ପାର୍ଥକ୍ୟ ସମ୍ପର୍କରେ ସେ ବିସ୍ତୃତ ଭାବେ ବୁଝାଇଥିଲେ। ଶିଶୁମାନେ ନିଜର ପ୍ରତିଭା, କଳା, ସଂସ୍କୃତି କିମ୍ବା କ୍ରୀଡ଼ା କ୍ଷେତ୍ରରେ ଅଂଶଗ୍ରହଣ କରିବା ତାଙ୍କର ସାମର୍ଥ୍ୟ ବିକାଶର ଅଂଶ, କିନ୍ତୁ ଯେକୌଣସି ପ୍ରକାରର ଶୋଷଣମୂଳକ କିମ୍ବା ବାଧ୍ୟତାମୂଳକ କାମ ଶିଶୁ ଶ୍ରମର ଅନ୍ତର୍ଗତ ବୋଲି ସେ ସ୍ପଷ୍ଟ କରିଥିଲେ।ଶିଶୁମାନଙ୍କ ପ୍ରତିଭାର ବିକାଶ ସହ ସେମାନଙ୍କ ଶିକ୍ଷା ଓ ସୁରକ୍ଷାକୁ ସମାନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ।
ବୈଷୟିକ ଅଧିବେଶନରେ ଓଡ଼ିଶା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନଏଲୟୁଓ)ର ପ୍ରଫେସର ବିରାଜ ସ୍ୱାଇଁ ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ, ୧୯୮୬, ଓଡ଼ିଶା ନିୟମାବଳୀ-୨୦୧୭, କିଶୋର ନ୍ୟାୟ ଆଇନ-୨୦୧୫ ଏବଂ ଶିକ୍ଷାର ଅଧିକାର ଆଇନ-୨୦୦୯ ମଧ୍ୟରେ ଥିବା ସମ୍ପର୍କ ସମ୍ପର୍କରେ ଆଲୋଚନା କରିଥିଲେ। ସେ ଭାରତରେ ଶିଶୁ ଶ୍ରମ ନିରାକରଣ ପାଇଁ ଗ୍ରହଣ କରାଯାଉଥିବା ନୀତିଗତ ଏବଂ କାର୍ଯ୍ୟକ୍ରମଭିତ୍ତିକ ପଦକ୍ଷେପ, ଓଡ଼ିଶାରେ ଶିଶୁ ଶ୍ରମର ସ୍ଥିତି ଏବଂ ଆଇନର କାର୍ଯ୍ୟକାରିତା ଉପରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।
ଏହି ଅବସରରେ ନ୍ୟାସନାଲ ଚାଇଲ୍ଡ ଲେବର ପ୍ରୋଜେକ୍ଟ (ଏନସିଏଲପି)ର ନୀତି, ରଣନୀତି ଓ କାର୍ଯ୍ୟାନ୍ୱୟନ, ଶିଶୁ ଶ୍ରମ ନିରାକରଣ ଦୃଷ୍ଟିକୋଣରୁ ଶିକ୍ଷାର ଅଧିକାର ଆଇନର ଭୂମିକା, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଏବଂ ଶ୍ରମ ବିଭାଗର ମିଳିତ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଶିଶୁ ଶ୍ରମିକଙ୍କ ଉଦ୍ଧାର, ରିପୋର୍ଟିଂ, ପୁନର୍ବାସ, ବିଭାଗୀୟ ସମନ୍ୱୟ ଓ କୌଶଳଗତ କାର୍ଯ୍ୟଯୋଜନା ପ୍ରସ୍ତୁତି ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ବିଶେଷକରି ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋଚନା କରି ସେ କହିଥିଲେ ଯେ ଶିଶୁ ଶ୍ରମିକ କିମ୍ବା ଉଦ୍ଧାର ହୋଇଥିବା ଶିଶୁଙ୍କ ସମ୍ବାଦ ପ୍ରସାରଣ ସମୟରେ ସେମାନଙ୍କ ପରିଚୟ ଗୋପନ ରଖିବା ଅତ୍ୟନ୍ତ ଜରୁରୀ। ଶିଶୁଙ୍କ ଫଟୋ, ଭିଡିଓ କିମ୍ବା ଖବର ପ୍ରକାଶ ବେଳେ ମୁହଁକୁ ବ୍ଲର କରିବା କିମ୍ବା ପରିଚୟ ସ୍ପଷ୍ଟ ହେଉଥିବା ତଥ୍ୟକୁ ଗୋପନ ରଖିବା ଆଇନଗତ ଓ ନୈତିକ ଦାୟିତ୍ୱ ବୋଲି ସେ ଉଲ୍ଲେଖ କରିଥିଲେ। ଶିଶୁଙ୍କ ମର୍ଯ୍ୟାଦା, ଗୋପନୀୟତା ଓ ଅଧିକାରର ସୁରକ୍ଷା ପାଇଁ ଦାୟିତ୍ୱଶୀଳ ସାମ୍ବାଦିକତାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ପ୍ରଶିକ୍ଷଣ ଅଧିବେଶନ ପରେ ଏକ ପ୍ରଶ୍ନୋତ୍ତର ଓ ପାରସ୍ପରିକ ଆଲୋଚନା ପର୍ବ ଆୟୋଜିତ ହୋଇଥିଲା। ଏହି ଅଧିବେଶନରେ ରାୟଗଡ଼ା ଜିଲ୍ଲାର ସିଡିଓ-କମ୍-ଇଓ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ମତ ପ୍ରକାଶ କରି କହିଥିଲେ ଯେ, ଅନେକ ଅଞ୍ଚଳରେ ଛାତ୍ରାବାସ ସୁବିଧାର ଅଭାବ ଯୋଗୁଁ ଶିଶୁମାନେ ପାଠପଢ଼ା ଛାଡ଼ିଦେଉଛନ୍ତି ଏବଂ ପରବର୍ତ୍ତୀ ସମୟରେ ଶିଶୁ ଶ୍ରମରେ ନିୟୋଜିତ ହେଉଛନ୍ତି। ଏହି ପ୍ରସଙ୍ଗକୁ ମାନ୍ୟବର ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଗୁରୁତ୍ୱର ସହ ନୋଟିସକୁ ନେଇଥିଲେ। ସେହିପରି ଶ୍ରୀ ଖେମୁଣ୍ଡୁ ରାମନାଗୁଡ଼ା ବ୍ଲକରେ କାର୍ଯ୍ୟକାରୀ ହୋଇଥିବା ‘ବ୍ରାଜିଲ୍ ମଡେଲ୍ ସୋଲାର ଲାଇବ୍ରେରୀ’ ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ, ଯାହାକୁ ଶ୍ରୀମତୀ ପାତ୍ର ଉଚ୍ଚ ପ୍ରଶଂସା କରିଥିଲେ।
ଶେଷ ଅଧିବେଶନରେ ଓଏସସିପିସିଆର ସଦସ୍ୟା ଶ୍ରୀମତୀ ସୁଜାତା ନାୟକ ଶିଶୁ ଶ୍ରମ ନିରାକରଣ କ୍ଷେତ୍ରରେ ଅଧିକ ପ୍ରଭାବଶାଳୀ କାର୍ଯ୍ୟଯୋଜନା ପ୍ରସ୍ତୁତି ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବୀନ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କର୍ମଶାଳାରେ ଓ.ଏସ.ସି.ପି.ସି.ଆର ସଭ୍ୟ ଶ୍ରୀମତୀ କସ୍ତୁରୀ ମିଶ୍ର, ଶ୍ରୀମତୀ ମାନସ୍ମିତା ଖୁଣ୍ଟିଆ, ଶ୍ରୀମତୀ ସୁଜାତା ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ ଓ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ଯୋଗଦେଇ ଶିଶୁ ଅଧିକାର ସୁରକ୍ଷା ଏବଂ ଶିଶୁ ଶ୍ରମ ମୁକ୍ତ ସମାଜ ଗଠନ ଦିଗରେ ନିଜ ମତାମତ ରଖିଥିଲେ।
