ରାୟଗଡ଼ା: ରାୟଗଡ଼ା ସହରର ଅଗ୍ରଣୀ ମହିଳା ଅନୁଷ୍ଠାନ ‘ସଂସ୍କୃତି’ ପକ୍ଷରୁ ମହା ଆଡମ୍ବର ସହକାରେ ଶିକ୍ଷକ ଦିବସ ପାଳନ କରାଯାଇଛି। ଅନୁଷ୍ଠାନର ସଭାନେତ୍ରୀ ସରସ୍ୱତୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ମୁଖ୍ୟ ଅତିଥି ଭାବେ ଏବଂ ଡଃ ଦୁଷ୍ମନ୍ତ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।
ଏହି ଅବସରରେ ବକ୍ତାମାନେ ସମାଜ ଗଠନରେ ଗୁରୁ ଓ ଶିକ୍ଷକଙ୍କ ମହତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏକ ସୁସ୍ଥ, ସୁସଂସ୍କୃତ ଓ ସମୃଦ୍ଧ ସମାଜ ଗଠନରେ ଶିକ୍ଷକମାନଙ୍କ ଅବଦାନ ଅତୁଳନୀୟ। ଯୁଗ ଯୁଗ ଧରି ଗୁରୁମାନେ ଶିକ୍ଷା, ଜ୍ଞାନ ଓ ସଂସ୍କାରର ଆଲୋକ ବିତରଣ କରି ମାନବ ସମାଜକୁ ସଠିକ୍ ଦିଗଦର୍ଶନ ଦେଇଆସୁଛନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।
ମୁଖ୍ୟ ବକ୍ତା ଡଃ ଦୁଷ୍ମନ୍ତ କୁମାର ମହାନ୍ତି ତାଙ୍କ ଉଦବୋଧନରେ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୀବନ, ତ୍ୟାଗ, ଦର୍ଶନ ଓ ଦେଶ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ସେହିପରି ମୁଖ୍ୟ ଅତିଥି ନିହାର ରଞ୍ଜନ କହଁର ତାଙ୍କ ଉଦବୋଧନରେ ହିନ୍ଦୁ ଦର୍ଶନରେ ଗୁରୁମାନଙ୍କ ଭୂମିକା ଓ ଗୁରୁ-ଶିଷ୍ୟ ପରମ୍ପରାର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସେ ଆଦିଗୁରୁ ଭଗବାନ ଶିବଙ୍କ ଉଦାହରଣ ଦେଇ ଗୁରୁଙ୍କ ମହିମା ଓ ଜୀବନରେ ତାଙ୍କର ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ।
କାର୍ଯ୍ୟକ୍ରମରେ କୁନି କୁନି ଶିଶୁମାନଙ୍କ ଦ୍ୱାରା ମନୋରମ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା, ଯାହା ଉପସ୍ଥିତ ଅତିଥି ଓ ଦର୍ଶକମାନଙ୍କୁ ବେଶ୍ ଆକର୍ଷିତ କରିଥିଲା।
ଏହି ସଭାରେ ସୁଜାତା ପାଳ, ସ୍ମିତା ପାଢ଼ୀ, ଲକ୍ଷ୍ମୀ ଦେଓ, ଲୀନା ସେନାପତି, ସୁଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।
ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଅର୍ଚ୍ଚନା ପଟ୍ଟନାୟକ, ରାଜେନ୍ଦ୍ର ପ୍ରସାଦ ପାଢ଼ୀ ଓ ତ୍ରିଲୋଚନ ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା।
ଶେଷରେ ଲୀନା ସେନାପତି ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।
