ରାୟଗଡ଼ା ପୋଲିସକୁ ବଡ଼ ସଫଳତାଆନ୍ତଃଜିଲ୍ଲା ବାଇକ୍ ଲୁଟେରା ଗ୍ୟାଙ୍ଗ ଠାବ୩ ଗିରଫ, ୨୨ ଗାଡ଼ି ଜବତ


ରାୟଗଡ଼ା,୬/୯-ରାୟଗଡ଼ା ପୋଲିସ ଏକ ଆନ୍ତଃଜିଲ୍ଲା ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଠାବ କରିବାରେ ବଡ଼ ସଫଳତା ହାସଲ କରିଛି। ଏହି ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୨ଟି ବିଭିନ୍ନ କମ୍ପାନୀର ଗାଡ଼ି (୨୧ଟି ବାଇକ୍ ଏବଂ ୧ଟି ଅଟୋ) ଜବତ କରିଛି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ା ଏସପି ରାଜ ପ୍ରସାଦ ଏହି ସୂଚନା ପ୍ରଦାନ କରିଛନ୍ତି।
ଏସପିଙ୍କ ସୂଚନା ଅନୁଯାୟୀ, ଗତ ଏକ ବର୍ଷ ଧରି ରାୟଗଡ଼ା ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳରେ ଏହି ବାଇକ୍ ଲୁଟେରା ଗ୍ୟାଙ୍ଗ ସକ୍ରିୟ ଥିଲା। ଏହି ଲୁଟେରାମାନେ ଏକ ବଜାଜ୍ ମାକ୍ସିମା ମେଘା ଅଟୋ ଏପି ୩୯ ଡବ୍ଲ୍ୟୁକେ ୨୭୭୦ ବ୍ୟବହାର କରି ବିଭିନ୍ନ ଅଞ୍ଚଳରେ ବୁଲି ଗାଡ଼ି ରେକି କରୁଥିଲେ। ସୁଯୋଗ ଦେଖି ସେମାନେ ଲୋକଙ୍କ ବାଇକ ଚୋରି କରିବା ପରେ ନିଜ ଘର ପଛପଟେ କିମ୍ବା ଅନ୍ୟ ସୁରକ୍ଷିତ ସ୍ଥାନରେ ଲୁଚାଇ ରଖୁଥିଲେ। ପରେ ଏହି ଚୋରି ଗାଡ଼ିଗୁଡ଼ିକୁ ଶସ୍ତା ଦରରେ ବିଭିନ୍ନ ଲୋକଙ୍କୁ ବିକ୍ରି କରୁଥିଲେ।
ଏହି ଘଟଣାରେ ଅଭିଯୋଗ ପାଇବା ପରେ ରାୟଗଡ଼ା ଏସଡିପିଓ ଗୌରହରି ସାହୁ ଏବଂ ରାୟଗଡ ଟାଉନ୍ ଥାନା ଆଇଆଇସି କେଶବ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ପାର୍ବତୀପୁରମ ଅଞ୍ଚଳରେ ଜଣେ ଗ୍ରାହକଙ୍କର ବାଇକ୍ ଦରକାର ଅଛି ବୋଲି କହି ପୋଲିସ ଟିମ୍ ଏହି ଗ୍ୟାଙ୍ଗ ପାଖରେ ଖବର ପହଞ୍ଚାଇଥିଲା। ଗ୍ରାହକ ସାଜି ପୋଲିସ ଟ୍ରାପ୍ କରିବା ଫଳରେ ଏହି ଗ୍ୟାଙ୍ଗର ଜଣେ ସଦସ୍ୟ ପ୍ରଥମେ ଧରାପଡିଥିଲା ଏବଂ ପରେ ତା’ର ସୂଚନା ଆଧାରରେ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା।
ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗୁଆକୋଣାର ସୀମାଞ୍ଚଳ ମହାନନ୍ଦିଆ (୨୮), ଉତ୍କାପାଡୁର ରାଜେଶ୍ୱର ନାଗବଂଶ (୨୮) ଏବଂ ଗୁଆକୋଣା ଗୌଡ଼ ସାହିର ପ୍ରଦୀପ ଚାନ୍ଦିବଂଶ (୨୬)। ଏମାନେ ମୁଖ୍ୟତଃ ପାର୍ବତୀପୁରମ, ଗୁଣୁପୁର, ଗୁଡାରି, କେନ୍ଦୁଗୁଡ଼ା, ମୁନିଗୁଡ଼ା, ରାମନାଗୁଡା, ରାୟଗଡ଼ା ଏବଂ ଗୁମୁଡ଼ା ଆଦି ଅଞ୍ଚଳରେ ନିଜର ଅପରାଧିକ କାର୍ଯ୍ୟକଳାପ ଚଳାଉଥିଲେ। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏମାନଙ୍କ ନାମରେ ରାୟଗଡ଼ା, ଗୁଡାରି, ପଦ୍ମପୁର, ଗୁଣୁପୁର, ରାମନାଗୁଡା ଏବଂ ପାର୍ବତୀପୁରମ ଟାଉନ୍ ଥାନାରେ ୮ଟି ମାମଲା ରହିଛି।
ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ନେଟୱର୍କରେ ଆହୁରି କିଏ ସବୁ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି। ଜବତ ହୋଇଥିବା ୨୨ଟି ଗାଡ଼ିର ପ୍ରକୃତ ମାଲିକଙ୍କୁ ଠାବ କରିବା ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହିତ, ସେକେଣ୍ଡ୍ ହ୍ୟାଣ୍ଡ ଗାଡ଼ି କିଣିବା ସମୟରେ ଗାଡ଼ିର ରେଜିଷ୍ଟ୍ରେସନ, ମାଲିକାନା କାଗଜପତ୍ର ଏବଂ ଅନ୍ୟାନ୍ୟ ତଥ୍ୟ ଭଲଭାବେ ଯାଞ୍ଚ କରିବାକୁ ରାୟଗଡ଼ା ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

ଅଧିକ ପଢନ୍ତୁ