ରାୟଗଡ଼ା, ୬/୧୦: ନାଗାଲାଣ୍ଡରେ କର୍ତ୍ତବ୍ୟରତ ଅବସ୍ଥାରେ ଶହୀଦ ହୋଇଛନ୍ତି ରାୟଗଡ଼ା ସହରର କତୁର ଅଞ୍ଚଳର ଯୁବ ଯବାନ ଭି. ତେଜା। ଆସାମ ରାଇଫଲସ୍ରେ ଯବାନ ଭାବେ କାର୍ଯ୍ୟରତ ଥିବା ତେଜାଙ୍କୁ ସୋମବାର ସକାଳେ ଡ୍ୟୁଟି ସମୟରେ ଗୁଳି ବାଜିଥିଲା। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।୨୦୨୨ରେ ସେନାରେ ଯୋଗ ଦେଇଥିବା ତେଜାଙ୍କ ବୟସ ୩୦ ବର୍ଷ ଥିଲା। ଆସନ୍ତା ୭ ତାରିଖରେ ସେ ତାଙ୍କ ୩୧ତମ ଜନ୍ମଦିନ ପାଳିଥାନ୍ତେ। ଏହାର ଦୁଇ ମାସ ପରେ, ଡିସେମ୍ବର ୧୦ରେ ତାଙ୍କ ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ବିବାହ ପାଇଁ ୫୦ ଦିନର ଛୁଟି ମଧ୍ୟ ମଞ୍ଜୁର ହୋଇଥିଲା। ଦୀପାବଳିରେ ଘରକୁ ଫେରିବାର ଥିଲା। ହେଲେ ଘରକୁ ଫେରିବା ପୂର୍ବରୁ ଦେଶ ସେବାରେ ଜୀବନ ହାରିଲେ ଏହି ଯୁବ ଯବାନ।ତେଜାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ମାନବିକତାର ଉଦାହରଣ ସାମ୍ନାକୁ ଆସିଛି। ପ୍ରାୟ ଦୁଇ ବର୍ଷ ତଳେ ସେ ଅଙ୍ଗଦାନ ପାଇଁ ଘୋଷଣାପତ୍ରରେ ସ୍ୱାକ୍ଷର କରିଥିଲେ। ତାଙ୍କ ଇଚ୍ଛା ଅନୁଯାୟୀ ମୃତ୍ୟୁ ପରେ ବିଭିନ୍ନ ଅଙ୍ଗ ସଂରକ୍ଷଣ କରାଯାଇଥିବା ତାଙ୍କ ସାନ ଭାଇ କହିଛନ୍ତି। ତେଣୁ ତେଜା ଶାରୀରିକ ଭାବେ ନଥିଲେ ମଧ୍ୟ ଅଙ୍ଗଦାନ ମାଧ୍ୟମରେ ଅନ୍ୟ ଜୀବନରେ ବଞ୍ଚି ରହିବେ ବୋଲି ପରିବାର କହିଛି।ତେଜାଙ୍କ ପାର୍ଥିବ ଶରୀର ସ୍ୱତନ୍ତ୍ର ବିମାନ ଯୋଗେ ଗୌହାଟୀ ଓ ହାଇଦ୍ରାବାଦ ଦେଇ ବିଶାଖାପାଟଣା ଅଣାଯାଇ ସେଠାରୁ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ା ଅଣାଯିବ। ମଙ୍ଗଳବାର ବିଳମ୍ବିତ ରାତିରେ ପାର୍ଥିବ ଶରୀର ତାଙ୍କ ଘରେ ପହଞ୍ଚିବା ନେଇ ସୂଚନା ମିଳିଛି।ସବୁଠାରୁ ବିଡ଼ମ୍ବନାର ବିଷୟ, ବୁଧବାର ତେଜାଙ୍କ ଜନ୍ମଦିନ। ଯେଉଁ ଦିନ ପରିବାର ତାଙ୍କ ଜନ୍ମଦିନ ପାଳନ କରିଥାନ୍ତା, ସେହି ଦିନ ହେବ ତାଙ୍କ ଶେଷ ଯାତ୍ରା। ସକାଳ ୯ଟାରେ ରାୟଗଡ଼ା ସହରର ସିରିଗୁଡ଼ାସ୍ଥିତ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ଏଥିରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଯୋଗଦେଇ ଶହୀଦଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ।ତେଜାଙ୍କ ଶହୀଦ ଖବର ପ୍ରଚାର ପରେ ରାୟଗଡ଼ାରେ ଶୋକର ଛାୟା ଖେଳିଯାଇଛି। ପୁଅକୁ ହରାଇବାର ଦୁଃଖ ମଧ୍ୟରେ ଦେଶ ପାଇଁ ତାଙ୍କ ବଳିଦାନକୁ ନେଇ ପରିବାର ଗର୍ବିତ ଥିବା କହିଛି।
