ରାୟଗଡ଼ (୨୮/୪) – ଅଲ ଓଡ଼ିଶା ଇପିଏଫ୍ ପେନସନରସ୍ ଆସୋସିଏସନ ରାୟଗଡ଼ ଜିଲ୍ଲା ଶାଖା କମିଟି ବୈଠକ ବରିଷ୍ଠ ସାଥୀ ପ୍ରଭାକର ଭୁକ୍ତାଙ୍କ ସଭାପତିତ୍ବରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସାଥି ପ୍ରଶାନ୍ତ ପଟ୍ଟନାୟକ, କେନ୍ଦ୍ର ଓ ରାଜ୍ୟ କମିଟି ସ୍ତରରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଆଜିର ବୈଠକରେ ସର୍ବନିମ୍ନ ପେନସନ ୯ ହଜାର ଟଙ୍କାକୁ ବୃଦ୍ଧି କରିବା ସହ ମହଙ୍ଗା ଭତ୍ତା ଓ ନିଶୁଳ୍କ ଚିକିତ୍ସା ସୁବିଧା ପ୍ରଦାନ କରିବା ଲାଗି ବାରମ୍ଵାର ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରାଯାଇଥିଲେ ସୁଦ୍ଧା କେନ୍ଦ୍ର ସରକାର ଦାବୀ ପୂରଣ କରିବା କ୍ଷେତ୍ରରେ ପରିଣତ ବୟସରେ ପହଞ୍ଚିଥିବା ଅବସରପ୍ରାପ୍ତ ଇପିଏଫ୍ କର୍ମଚାରୀ ମାନଙ୍କ ପ୍ରତି କୌଣସି ପ୍ରକାର ଆନ୍ତରିକତା ପ୍ରଦର୍ଶନକରୁ ନାହାନ୍ତି, ଏପରିକି ସୁପ୍ରିମ କୋର୍ଟଙ୍କ ରାୟ ଅନୁଯାୟୀ ବର୍ଦ୍ଧିତ ପେନସନ୍ ଦେବାରେ ସଂପୃକ୍ତ ଅଧିକାରୀ ମାନେ କାର୍ଯ୍ୟକାରୀ କରୁ ନଥିବା ହେତୁ ଅନେକ ଯୋଗ୍ୟ ଇପିଏଫ୍ କର୍ମଚାରୀମାନେ ବଞ୍ଚିତ ହୋଇଛନ୍ତି ମୁଖ୍ୟତଃ , ମୁନିଗୁଡ଼ାର ପ୍ରାୟ ୬୦ ଜଣ କର୍ମଚାରୀ ଏଥିରେ ଅନ୍ତଭୁକ୍ତ ରହିଛନ୍ତି । ଯୁକ୍ତିଯୁକ୍ତ ନ୍ୟାୟ ସଙ୍ଗତ ଦାବୀ ଗୁଡ଼ିକ ପୂରଣ ହୋଇ ପାରୁନଥିବାରୁ ଆଜିର ବୈଠକରେ ଘୋର ନିନ୍ଦା କରାଯାଇଥିଲା, ଦାବି ପୁରଣରେ ଖିଲାପ ହେଲେ ଆଗାମୀ ଦିନରେ ବିଭିନ୍ନ ପର୍ଯ୍ୟାୟରେ ତୀବ୍ରତର ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ଲାଗି ନିଷ୍ପତ୍ତି କରାଗଲା । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ନିଗମର ଅବସର ପ୍ରାପ୍ତ କର୍ମଚାରୀ ମାନେ ଯୋଗ ଦେଇଥିଲେ ।
