ଆମେରିକୀୟ ସିନେଟରମାନେ ରୁଷ ଉପରେ ଏକ ପ୍ରତିବନ୍ଧକ ବିଲ୍ର ଏକ ସଂଶୋଧିତ ସଂସ୍କରଣ ଆଗତ କରିଛନ୍ତି । ଏଥିରେ ଭାରତ ଏବଂ ଚୀନ୍ ଭଳି ଦେଶଗୁଡ଼ିକ ଉପରେ ରୁଷରୁ ତୈଳ ଏବଂ ଗ୍ୟାସ୍ ଆମଦାନି ପାଇଁ ଶୁଳ୍କ ୫୦୦% ବଦଳରେ ସର୍ବାଧିକ ୧୦୦% କୁ ହ୍ରାସ କରାଯାଇଛି। ଏହି ନୂତନ ପରିବର୍ତ୍ତନ ପରେ ଭାରତ ଓ ଚୀନ୍ ଭଳି ପ୍ରମୁଖ ତେଲ ଆମଦାନୀକାରୀ ଦେଶଗୁଡ଼ିକୁ କିଛିଟା ଆଶ୍ୱସ୍ତି ମିଳିପାରେ ବୋଲି ଅନୁମାନ କରାଯାଉଛି । ସଂଶୋଧିତ ବିଲ୍ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରତିବନ୍ଧକ କୋହଳ କରିବା ପାଇଁ ସ୍ୱତନ୍ତ୍ର ଅଧିକାର ଦିଆଯିବ । ଯଦି ରାଷ୍ଟ୍ରପତି ମନେକରନ୍ତି ଯେ କୌଣସି ଦେଶକୁ ରିହାତି ଦେବା ଆମେରିକାର ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ଜରୁରୀ, ତେବେ ସେ ସେହି ଦେଶ ଉପରୁ ପ୍ରତିବନ୍ଧକ କିମ୍ବା ଟ୍ୟାରିଫ୍ ହଟାଇ ପାରିବେ କିମ୍ବା କୋହଳ କରିପାରିବେ ।ସିନେଟ୍ ସହାୟକମାନଙ୍କ ଅନୁଯାୟୀ, ରୁଷର ଅଶୋଧିତ ତୈଳର ଶ୍ରେଷ୍ଠ ପାଞ୍ଚ କ୍ରେତାଙ୍କ ମଧ୍ୟରେ ଚୀନ୍, ଭାରତ, ସ୍ଲୋଭାକିଆ, ହଙ୍ଗେରୀ ଏବଂ ଆଜରବାଇଜାନ ସାମିଲ ଅଛନ୍ତି। ଯେତେବେଳେ ପ୍ରାକୃତିକ ଗ୍ୟାସର ଶ୍ରେଷ୍ଠ କ୍ରେତାଙ୍କ ମଧ୍ୟରେ ଚୀନ୍, ଫ୍ରାନ୍ସ, ଜାପାନ, ହଙ୍ଗେରୀ ଏବଂ ବେଲଜିୟମ ରହିଛନ୍ତି। ଏହା ସହିତ ନୂତନ ବିଲ୍ରେ ସେହି ଦେଶମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଛାଡ଼ ଅନ୍ତର୍ଭୁକ୍ତ କରାଯାଇଛି ଯେଉଁମାନେ ରୁଷର ମୋଟ ପ୍ରାକୃତିକ ଗ୍ୟାସ ରପ୍ତାନିର ୧୫ ପ୍ରତିଶତରୁ କମ୍ ଆମଦାନି କରନ୍ତି ଏବଂ ସେମାନଙ୍କର ନିର୍ଭରଶୀଳତା ହ୍ରାସ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ।
