ଜମି ପଟ୍ଟା କରିବା ପାଇଁ କ୍ଷେତ୍ର ପରିଦର୍ଶନ ରିପୋର୍ଟ ଦେବାକୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବାଲେଶ୍ୱର ଖଇରା ତହସିଲର ତୁଡ଼ିଗାଡ଼ିଆ ରାଜସ୍ୱ ନିରୀକ୍ଷକ (ଆରଆଇ) ଶରତ କୁମାର ସେଠୀ। ସୂଚନାନୁଯାୟୀ, ଜଣେ ବ୍ୟକ୍ତି ନିଜ ଜେଜେ ବାପାଙ୍କ ନାମରେ ଜମିର ପଟ୍ଟା ପାଇଁ ଆବେଦନ କରିଥିଲେ । ଏ ସଂପର୍କରେ କ୍ଷେତ୍ର ପରିଦର୍ଶନ କରି ଆରଆଇ ତହସିଲକୁ ରିପୋର୍ଟ ପଠାଇବା କଥା । ମାତ୍ର ସେ ଉଦ୍ଦେଶ୍ୟମୂଳକ ଭାବେ ଦିନ ଗଡ଼ାଇ ଚାଲିଲେ । ଏ ନେଇ ଆବେଦନକାରୀ ତାଙ୍କୁ ଯୋଗାଯୋଗ କରିବାରୁ ସେ ୫ ହଜାର ଟଙ୍କା ଦାବି କରିଥିଲେ । ଲାଞ୍ଚ ୫ ହଜାର ଦେବା ବଦଳରେ ଆବେଦନକାରୀ ରାଜ୍ୟ ଭିଜିଲାନ୍ସକୁ ଯୋଗାଯୋଗ କରିଥିଲେ । ପୂର୍ବ ଯୋଜନା ଅନୁସାରେ ଶ୍ରୀ ସେଠୀ ଆଜି ୫ ହଜାର ଟଙ୍କା ଲାଞ୍ଚ ନେବା ପରେ ଭିଜିଲାନ୍ସ ବିଭାଗ ଅଧିକାରୀ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ । ଏ ସଂପର୍କର ଏକ ମାମଲା ରୁଜୁ ସହ ଅଧିକ ତଦନ୍ତ ଜାରି ରହିଛି ।
