ପବିତ୍ର ଦୀପାବଳି ଅବସରରେ ରାମନଗରୀ ଅଯୋଧ୍ୟାରେ ଦଶମ ଦୀପୋତ୍ସବ ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୀପୋତ୍ସବର ଉଦ୍ଘାଟ କରି ସରୟୁ ନଦୀ କୂଳରେ ଆରତୀ କରିଛନ୍ତି।ଏଥର ସରଯୂ ନଦୀ କୂଳର ୫୬ଟି ଘାଟରେ ଜଳାଯାଇଛି ୩୦ ଲକ୍ଷ ଦୀପ। ପାରମ୍ପରିକ ଦୀପ ସାଙ୍ଗକୁ ଆଧୁନିକ ଲେଜର ଶୋ ଓ ଡିଜିଟାଲ୍ ଆଲୋକସଜ୍ଜା ଉତ୍ସବର ଆକର୍ଷଣକୁ ଆହୁରି ବଢ଼ାଇ ଦେଇଛି।ଦଶମ ଦୀପୋତ୍ସବକୁ ଭବ୍ୟ କରିବା ପାଇଁ ସମଗ୍ର ଅଯୋଧ୍ୟାକୁ ପାରମ୍ପରିକ ଦୀପ ସହ ଆଧୁନିକ ଆଲୋକରେ ସଜାଯାଇଛି। ସରଯୂ ନଦୀ କୂଳର ରାମ କୀ ପୈଡ଼ିରେ ୩୦ ଲକ୍ଷ ଦୀପ ପ୍ରଜ୍ୱଳିତ ହୋଇଛି। ଏହି ମନୋରମ ଦୃଶ୍ୟ ଦେଖିବାକୁ ଦେଶର ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଅଯୋଧ୍ୟାରେ ପହଞ୍ଚିଥିଲେ।ସାଧୁସନ୍ଥମାନେ ଅଯୋଧ୍ୟାର ବିକାଶ, ଧର୍ମ ଓ ସଂସ୍କୃତିର ସଂରକ୍ଷଣ ଏବଂ ଦୀପୋତ୍ସବର ନୂତନ ରୂପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ।
ଦୀପୋତ୍ସବରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଅଂଶଗ୍ରହଣ କରିଥିଲେ। ସେ କହିଥିଲେ, ଭଗବାନ ରାମଙ୍କ ଜନ୍ମସ୍ଥାନ ପବିତ୍ର ଅଯୋଧ୍ୟାରେ ଅଯୋଧ୍ୟାରେ ଅନୁଷ୍ଠିତ ଦୀପୋତ୍ସବରେ ଉପସ୍ଥିତ ରହି ନିଜକୁ ଗର୍ବିତ ମନେ କରିଥିଲେ। ରାମଚନ୍ଦ୍ର କେବଳ ଭଗବାନ ନୁହଁନ୍ତି, ବରଂ ସେ ଆଦର୍ଶ ଆଚରଣର ଏକ ଅନନ୍ତ ପ୍ରତୀକ ବୋଲି ଉପରାଷ୍ଟ୍ରପତି କହିଥିଲେ।ଏଥର ଦୀପୋତ୍ସବରେ ପାରମ୍ପରିକତା ସହ ଆଧୁନିକ ଜ୍ଞାନକୌଶଳର ମିଶ୍ରଣ ଦେଖିବାକୁ ମିଳିଛି। ଧର୍ମପଥରେ ୫୦ଟି ଡିଜିଟାଲ୍ ସ୍ତମ୍ଭ ମାଧ୍ୟମରେ ରାମାୟଣର ବିଭିନ୍ନ ପ୍ରସଙ୍ଗ ପ୍ରଦର୍ଶିତ ହୋଇଛି। ଏହା ସହ ଜାତୀୟ ରାଜପଥରୁ ପ୍ରବେଶ ଦ୍ୱାର ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ୧୨ ଫୁଟ ଉଚ୍ଚତାର ସ୍ତମ୍ଭରେ ଡିଜିଟାଲ୍ ଲାଇଟ୍ ଶୋ ଆୟୋଜନ କରାଯାଇଥିଲା। ରଙ୍ଗବେରଙ୍ଗ ଆଲୋକର ଏହି ଦୃଶ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
