ଆଉ ନାହାନ୍ତି ବରିଷ୍ଠ ନିର୍ମାତା-ନିର୍ଦ୍ଦେଶକ ବି.ପି. ସିଂହ । ଟେଲିଭିଜନ ଜଗତର ଜଣାଶୁଣା ତଥା ଲୋକପ୍ରିୟ ଶୋ’ ‘ସିଆଇଡି’ (CID) ଏବଂ ‘ଆହଟ’ ଜରିଆରେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବି.ପି. ସିଂହ । ମଙ୍ଗଳବାର ସକାଳେ ହୃଦ୍ଘାତ କାରଣରୁ ତାଙ୍କର ପରଲୋକ ହୋଇଛି ।ତାଙ୍କ ନିଧନରେ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ସୋସିଆଲ ମିଡିଆରେ ବିପି ସିଂହଙ୍କ ମୃତ୍ୟୁ ଖବର ସେୟାର କରିଛନ୍ତି । ବିପି ସିଂହଙ୍କ ଶେଷକୃତ୍ୟ ଅକ୍ଟୋବର ୨୮ ତାରିଖରେ କରାଯିବ । CID ଓ ଆହଟ୍ ଭଳି ଲୋକପ୍ରିୟ ଧାରାବାହିକ ତାଙ୍କୁ ଦର୍ଶକଙ୍କ ମଧ୍ୟରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା ।ବି.ପି. ସିଂହଙ୍କ ପୂରା ନାମ ବ୍ରଜେନ୍ଦ୍ରପାଲ ସିଂହ ଥିଲା । ତାଙ୍କର ଜନ୍ମ ଉତ୍ତରାଖଣ୍ଡର ଡେରାଡୁନରେ ହୋଇଥିଲା । ସେ ୧୯୭୩ ମସିହାରେ ଦୂରଦର୍ଶନ ସହିତ ଜଣେ ସମାଚାର କ୍ୟାମେରାମ୍ୟାନ୍ ଭାବେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ପାଖାପାଖି ଦଶ ବର୍ଷ ପର୍ଯ୍ୟନ୍ତ କ୍ୟାମେରା ପଛରେ କାମ କରିବା ପରେ ସେ ମୁମ୍ବାଇ ଆସିଥିଲେ ଏବଂ କ୍ରମଶଃ ନିର୍ଦ୍ଦେଶନା ତଥା ନିର୍ମାଣ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଦୂରଦର୍ଶନ ପାଇଁ ତିଆରି ହୋଇଥିବା ଟେଲିଫିଲ୍ମ ‘ସିର୍ଫ ଚାର୍ ଦିନ୍’ ତାଙ୍କ କ୍ୟାରିଅରର ଏକ ବଡ଼ ମୋଡ଼ ଥିଲା । ଏହି ଫିଲ୍ମର ପ୍ରସ୍ତୁତି ସମୟରେ ସେ ପୋଲିସର ଅପରାଧ ଶାଖାକୁ ଯିବା ଆସିବା କରିବାକୁ ଲାଗିଲେ । ସେହି ସମୟରେ ଇନ୍ସପେକ୍ଟର ଜୟନ୍ତ ବାଗଲେଙ୍କ ସହ ତାଙ୍କର ଭେଟ ହୋଇଥିଲା । ପୁଲିସର ତଦନ୍ତ ପ୍ରକ୍ରିୟା ଏବଂ ଅପରାଧର ରହସ୍ୟ ଭେଦ କରିବାର ଶୈଳୀ ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା ଏବଂ ପରବର୍ତ୍ତୀ ସମୟରେ ସେ ସୃଷ୍ଟି କରିଥିଲେ ସବୁଠୁ ଲୋକପ୍ରିୟ ଶୋ’ ‘ସିଆଇଡି’।
