ଘର ଭିତରେ ତମ୍ବା ନାଗ। ପଥରରେ ଲାଗିଛି ସିନ୍ଦୂର। ତଳେ ପଡ଼ିଛି ଫୁଲ ଏବଂ ପୂଜା ସାମଗ୍ରୀ। ପାଖରେ ପୋତା ଯାଇଛି କଟା ମୁଣ୍ଡ। ପାରିପାର୍ଶ୍ବିକ ଅବସ୍ଥାରୁ ନରବଳି ଦିଆଯାଇଘରେ ଗୁଣିଗାରେଡ଼ି ବିଦ୍ୟା କରୁଥିବା ସନ୍ଦେହ । ମାନସିକ ପୂରଣ ପାଇଁ ସାଙ୍ଗକୁ ଘରକୁ ଡାକି ବଳି ଦେଇଦେଲା। ମୁଣ୍ଡକୁ ପୂଜାପାଠ କରୁଥିବା ଘର ଭିତରେ ପୋତିଦେଇ ଗଣ୍ଡିକୁ ପୋଖରୀରେ ଫିଙ୍ଗି ଦେଇଥିଲା। ୫ଦିନ ପରେ ମୁଣ୍ଡବିହୀନ ଗଳିତ ଶବ ପାଣିରେ ଭାସିବା ପରେ ଘଟଣା ସାମ୍ନାକୁ ଆସିଛି। ଏଭଳି ଲୋମଟାଙ୍କୁରା ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ।ହତ୍ୟାର ଶିକାର ହୋଇଛନ୍ତି ଟେବେଡ଼ାମୁଣ୍ଡା ଗାଁର ସନ୍ତୋଷ ଖରସେଲ।ଆଜି ବଗଡ଼ା ଗାଁ ପୋଖରୀରୁ ଏକ ମୁଣ୍ଡବିହୀନ ଶବ ଜବତ ପରେ ପୋଲିସ ଖୋଳତାଡ଼ କରିଥିଲା। ମୃତଦେହଟି ଟେବେଡ଼ାମୁଣ୍ଡା ଗାଁର ସନ୍ତୋଷ ଖରସେଲଙ୍କର ବୋଲି ଜଣାପଡ଼ିଥିଲା। ପୋଲିସ ତଦନ୍ତ କରି ଅଭିଯୁକ୍ତ ବଗଡ଼ା ଗାଁର ଶତୃଘନ ସାହୁକୁ ଧରି ପଚରାଉଚରା ପରେ ହତ୍ୟାର କାରଣ କହିଥିଲା ଅଭିଯୁକ୍ତ। ମଦ ନିଶାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସନ୍ତୋଷ ନିଶାରେ ଚୁର୍ ହୋଇ ଏକ ଛୁରୀ ବାହାର କରି ତାକୁ ମାରି ଦେବାକୁ ଉଦ୍ୟମ କରିବାରୁ ସେ ନିଜକୁ ରକ୍ଷା କରିବା ପାଇଁ ସନ୍ତୋଷକୁ ମାରି ଦେଇଥିବା କହିଛି ଶତୃଘନ। ମୁଣ୍ଡ କାଟି ହତ୍ୟା କରିବା ପରେ ମୃତଦେହକୁ ପୋଖରୀରେ ଫିଙ୍ଗି ଘରେ ମାଟିଖୋଳି ମୁଣ୍ଡ ଲୁଚାଇ ଦେଇଥିବା କହିଛି ଶତୃଘନ। ପୁଲିସ୍ ଉକ୍ତ ସ୍ଥାନ ଖୋଳି କଟାମୁଣ୍ଡ ଜବତ କରିଥିଲା। କଟାମୁଣ୍ଡ ପୋତାଯାଇଥିବା ଘରେ ତିନୋଟି ତମ୍ବା ନାଗ ଏବଂ କାଠଖୁଣ୍ଟରେ ପୂଜାର୍ଚ୍ଚନା କରି ବେଲପତ୍ର ଚଢ଼ାଯାଇଥିବା ଦେଖିବାକୁ ମିଳିଛି। ପାର୍ଶ୍ଵରେ ଥିବା ଏକ କାଠଖୁଣ୍ଟରେ ଧାର ଧାର ରକ୍ତର ଛିଟା ପଡ଼ିଥିଲା। ଅଭିଯୁକ୍ତ ଶତ୍ରୁଘ୍ନକୁ ପଚାରିବାରୁ ସେ ସନ୍ତୋଷଙ୍କୁ ବଳି ଦେଇଥିବା ସ୍ୱୀକାର କରିବା ସହ ସମସ୍ତ ଘଟଣା ବଖାଣିଥିଲା।
