ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ବ୍ଲକର ୫ଟି ଉଚ୍ଚ ବିଦ୍ୟାଳୟ ବୁଲି ଛାତ୍ରଛାତ୍ରୀ, ଅଭିଭାବକ, ପୂରତାନ ଛାତ୍ର ଏବଂ ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି । ଶିକ୍ଷା ଭିତ୍ତିଭୂମୀର ବିକାଶ ପାଇଁ ରୂପାନ୍ତରିକରଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ବହି ଶିକ୍ଷା ସହିତ ନୈତିକ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ବୁଝାଇଛନ୍ତି । ଏଥିପାଇଁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସଚେତନ କରିବା ସହ ରାଜ୍ୟ ସରକାର କ୍ରୀଡ଼ାକୁ କେତେ ଗୁରୁତ୍ୱ ଦେଉଛନ୍ତି, ତାହା ଆଲୋଚନା କରିଛନ୍ତି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନେକ କଳା ଭରପୁର ହୋଇ ରହିଛି । ତାହାକୁ ସାମ୍ନାକୁ ଆଣିବାର ଆବଶ୍ୟକତା ରହିଥିବା କହିଛନ୍ତି ।
ବିଦ୍ୟାଳୟ ପରିବେଶକୁ କିଭଳି ସ୍ୱଚ୍ଛ ଓ ସୁନ୍ଦର ରଖାଯାଇ ପାରିବା ତାହା ଉପରେ ଆଲୋଚନା କରିଛନ୍ତି । ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରିକରଣ ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ପ୍ରତି ସୃଷ୍ଟି ହେଉଥିବା ଆଗ୍ରହ ଓ ପ୍ରତିଯୋଗୀତା ମନୋଭାବ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ବିଧାୟକ ଆଜି ନୟାଗଡ଼ ବ୍ଲକର ରୂପାନ୍ତରିତ ହୋଇଥିବା ଗଦାଧରପ୍ରସାଦ ଭାଗୀରଥି ଉଚ୍ଚ ବିଦ୍ୟାଳୟ, ବାଲୁଗାଁ ଚଣ୍ଡି ହାଇସ୍କୁଲର ନିର୍ମାଣ କାର୍ଯ୍ୟକୁ ତଦାରଖ କରିଛନ୍ତି । ଏଥିସହିତ ନୂତନ ଭାବେ ୫ଟି ରୂପାନ୍ତରିକରଣ ଯୋଜନାରେ ସାମିଲ ହୋଇଥିବା କ୍ରିଦାଶପୁର ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, ଶରଧାପୁର ଉଚ୍ଚ ବିଦ୍ୟାଳୟ ଓ ବରପଲ୍ଲୀ ଉଚ୍ଚ ବିଦ୍ୟାଳୟର ନିର୍ମାଣ ପାଇଁ ରହିଥିବା ଯୋଜନାର ତଦାରଖ କରିଛନ୍ତି ।
ରୂପାନ୍ତରିକରଣ ଯୋଜନାରେ ସ୍ମାର୍ଟ କ୍ଲାସ ରୁମ୍, ଇ ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନଗାର ସହିତ ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବା ନେଇ ରହିଥିବା ଯୋଜନାକୁ ସମୀକ୍ଷା କରିଛନ୍ତି । ବିଧାୟକଙ୍କ ଗ୍ରସ୍ତରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଅକୃର ବାରିକ, ବିଡିଓ ପଦ୍ମଚରଣ ସାହୁ ଏବଂ ଜିଲ୍ଲା ପରିଷଦ ସଦସ୍ୟ ସୁବାସ ଚନ୍ଦ୍ର କହଁର, ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ ଏବଂ ସମସ୍ତ ପଞ୍ଚାୟତ ଜନପ୍ରତିନିଧିମାନେ ସାମିଲ ହୋଇଥିଲେ ।