ଶ୍ରମ କୋଡ ବାତିଲ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନୟାଗଡ, (ଓଡ଼ିଶା ଦର୍ପଣ):କେନ୍ଦ୍ର ସରକାର ଶ୍ରମିକ ମାନଙ୍କ ସ୍ଵାର୍ଥ ପାଇଁ ଉଦ୍ଦିଷ୍ଟ ଶ୍ରମ ଆଇନକୁ ବାତିଲ କରି ୨୨ନଭେମ୍ବରଠାରୁ ଶ୍ରମିକ ସ୍ଵାର୍ଥ ବିରୋଧୀ ଶ୍ରମ କୋଡ ଲାଗୁ କରୁଥିବାରୁ ଏହାର ପ୍ରତିବାଦରେ ସିଆଇଟିୟୁ ନେତୃତ୍ବରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଦିବସରେ ନୟାଗଡ଼ ଛକଠାରୁ ଏକ ପଟୁଆରରେ ଯାଇ ଶ୍ରମିକ ନେତା ଆଡଭୋକେଟ ଶରତଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ବିକ୍ଷୋଭ ସଭା ଅନୁଷ୍ଠିତ କରିଥିଲେ ବିଭିନ୍ନ ୟୁନିଅନର ପ୍ରତିନିଧି ବର୍ଗ। ମୋଦି ସରକାର କର୍ପୋରେଟ ମାଲିକଙ୍କ ସ୍ଵାର୍ଥ ରକ୍ଷା କରିବା ପାଇଁ ଭାରତୀୟ ଶ୍ରମିକ ମାନଙ୍କ ପକ୍ଷ ଛେଦନ କରିବାକୁ ଶ୍ରମିକଙ୍କ କଷ୍ଟଲବ୍ଧ ୪୪ଶ୍ରମ ଆଇନକୁ ବାତିଲ କରିଛନ୍ତି ଓ ପ୍ରକାରାନ୍ତରେ ଏକ ନିକିମା ପ୍ରଭାବହୀନ ଶ୍ରମ କୋଡ ପ୍ରଚଳନ କରିଛନ୍ତି। ଏହା ତୁରନ୍ତ ପ୍ରତ୍ୟାହାର ନିମନ୍ତେ ସାରା ଭାରତରେ ପାଳନ କରାଯାଉଥିବା ପ୍ରତିବାଦରେ ସାମିଲ ହୋଇ ନୟାଗଡ଼ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରମିକ ନେତା ବିଶ୍ଵନାଥ ମହାପାତ୍ର, ଗୋଲକ ବିହାରୀ ମୁଦୁଲି, ପବିତ୍ର ଇନ୍ଦ୍ରଜିତ, ସୁରେଶ ଚନ୍ଦ୍ର ସ୍ଵାଇଁ, ଚାପଧାରୀ ରାଉତ, ଜ୍ୟୋତିପ୍ରଭା ଜେନା, ଜୟନ୍ତୀ ଦାଶ, ସଂଯୁକ୍ତା ସେଠୀ, ସବ୍ୟସାଚୀ ସେନାପତି, ବିପିନ ବାଜୁ, ନିରଞ୍ଜନ ସାହୁ, ମଙ୍ଗୁଳୀ ରାଉତ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital