ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବଡ଼ ସଫଳତା। ମହାପ୍ରଭୁଙ୍କର ପାଞ୍ଚଟି ଟ୍ରେଡ୍ ମାର୍କକୁ ଅନୁମୋଦନ

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଦିଗରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବଡ଼ ସଫଳତା ମିଳିଛି। ମହାପ୍ରଭୁଙ୍କ ସହ ଜଡ଼ିତ ଆଉ ପାଞ୍ଚଟି ଟ୍ରେଡ୍ ମାର୍କ ଜର୍ଣ୍ଣାଲରେ ପ୍ରକାଶ ପାଇବ । ଆସନ୍ତା ଟ୍ରେଡ୍ ମାର୍କ ଜର୍ଣ୍ଣାଲରେ ପ୍ରକାଶନ ପାଇଁ ଅନୁମୋଦିତ ହୋଇଥିବା ନେଇ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର, ମହାପ୍ରସାଦ,ନୀଳଚକ୍ର, କୋଇଲି ବୈକୁଣ୍ଠର ଅନଧିକୃତ ବ୍ୟବହାର ଓ ବାଣିଜ୍ୟିକ ଅପବ୍ୟବହାରକୁ ରୋକିବା ଦିଗରେ ପଦକ୍ଷେପ ନିଆଯାଇଛି । ଏହା ପରେ ଅନଧିକୃତ ଓ ବାଣିଜ୍ୟିକ ଅପବ୍ୟବହାର ଉପରେ ରୋକ ଲାଗିବ। ସାଧାରଣତଃ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ସଂସ୍ଥା ମହାପ୍ରଭୁଙ୍କ ଏହି ପବିତ୍ର ନାମଗୁଡ଼ିକୁ ନିଜର ବ୍ୟକ୍ତିଗତ ବ୍ୟବସାୟ ଓ ଲାଭ ପାଇଁ ବ୍ୟବହାର କରିଥାନ୍ତି।

ତେବେ ଟ୍ରେଡ୍ ମାର୍କ ପଞ୍ଜୀକରଣ ହେବା ଦ୍ୱାରା ଏହି ସମସ୍ତ ପବିତ୍ର ନାମର ଅନଧିକୃତ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହେବ। କୌଣସି ବେସରକାରୀ ସଂସ୍ଥା ନିଜର ବାଣିଜ୍ୟିକ ଲାଭ ପାଇଁ ଏଗୁଡ଼ିକର ଅପବ୍ୟବହାର କରିପାରିବେ ନାହିଁ। ଏହା ସହ ଶ୍ରୀମନ୍ଦିରର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅଧିକାର ସୁରକ୍ଷିତ ରହିବ।

ଅଧିକ ପଢନ୍ତୁ