ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆଉ ୨,୯୧,୬୬୬ ନୂଆ ଘର ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ଏହି ଯୋଜନାର କାର୍ଯ୍ୟକାଳ ମଧ୍ୟ ୨ ବର୍ଷ ବୃଦ୍ଧି ପାଇଛି। ୨୦୨୭ ପରିବର୍ତ୍ତେ ୨୦୨୯ ପର୍ଯ୍ୟନ୍ତ ଏହାର ଅବଧି ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ସମସ୍ତଙ୍କ ପାଇଁ ଘର ଯୋଗାଇ ଦେବାର ଲକ୍ଷ୍ୟ ଖୁବ୍ ଶୀଘ୍ର ହାସଲ କରାଯିବ। ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇଦେବା ଲକ୍ଷ୍ୟରେ ନୂତନ ହିତାଧିକାରୀ ଚିହ୍ନଟ କରିବାକୁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ପରିବାରଙ୍କୁ ଘର ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯିବ। ଅନ୍ତ୍ୟୋଦୟ ଘର ନିର୍ମାଣକୁ ତ୍ୱରାନ୍ବିତ କରିବା ପାଇଁ ସମୟ ପୂର୍ବରୁ ଘର ଶେଷ କରୁଥିବା ହିତାଧିକାରୀଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି କରାଯାଇଛି। ୫ ମାସ ମଧ୍ୟରେ ଘର ନିର୍ମାଣ ଶେଷ କଲେ ୩୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି। ୭ ମାସ ମଧ୍ୟରେ ଘର ନିର୍ମାଣ ଶେଷ କଲେ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ମୁଖ୍ୟତଃ ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇନଥିବେ ତଥା ଗରିବ ଓ ଅସହାୟ ଥିବେ, ସେହିମାନଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି।
