
ନୟାଗଡ଼,(ଓଡ଼ିଶା ଦର୍ପଣ): ନାଟ୍ୟଧାରା ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ୫ମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ଇନ୍ଦ୍ରଜାଲ’। ସମୁଦ୍ରକୂଳର ଏକ କ୍ଷୁଦ୍ର ମତ୍ସ୍ୟଜୀବୀ ପଲ୍ଲୀରୁ ରୁଷିଆର ବରଫାବୃତ ସହର ପର୍ଯ୍ୟନ୍ତ ବ୍ୟାପିଥିବା ଏକ ଅନନ୍ୟ ପ୍ରେମ କାହାଣୀକୁ ନେଇ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ଅଭିନୀତ ହୋଇଯାଇଛି ଏହି ହୃଦୟସ୍ପର୍ଶୀ ତଥା ରୋମାଞ୍ଚଭରା ପ୍ରେମ ପ୍ରଣୟ ନାଟକ।

ବିଶିଷ୍ଟ ନାଟ୍ୟକାର ଦୀପିକା ଦାସଙ୍କ ଦ୍ୱାରା ରଚିତ ଏହି ନାଟକକୁ ନିପୁଣତାର ସହ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି ଦେବାନନ୍ଦ ନାୟକ (ସୋନୀ)। ବିଶ୍ୱାସ ଓ ସଂଘର୍ଷର ଆଖ୍ୟାନ ନାଟକର କଥାବସ୍ତୁ ଗୋପାଳପୁରର ଜଣେ ସାଧାରଣ ଟୁରିଷ୍ଟ ଗାଇଡ୍ ‘ଶ୍ରୀନୁ’ ଏବଂ ରୁଷିଆରୁ ଉଚ୍ଚତର ଗବେଷଣା ଶେଷ କରି ଫେରିଥିବା ତା’ର ପିଲାଦିନର ସାଥୀ ‘ଲୀନା’କୁ କେନ୍ଦ୍ର କରି ଗତିଶୀଳ। ବହୁ ବର୍ଷ ପରେ ପିଲାଦିନର ସେହି ନିଷ୍ପାପ ସମ୍ପର୍କ ଯେତେବେଳେ ପ୍ରେମର ରୂପ ନିଏ, ସେତେବେଳେ ପ୍ରତିବନ୍ଧକ ସାଜନ୍ତି ଗ୍ରାମର ପ୍ରଭାବଶାଳୀ ବ୍ୟକ୍ତି ଭେଙ୍କଟେଶ୍।

ଏହି ପ୍ରେମ କାହାଣୀରେ ଏକ ଭିନ୍ନ ମୋଡ଼ ଆଣେ ସମୁଦ୍ର ଗର୍ଭରେ ମିଳୁଥିବା ଏକ ବିରଳ ସାମୁଦ୍ରିକ ଗୁଳ୍ମ ‘ଇନ୍ଦ୍ରଜାଲ’। ଆଞ୍ଚଳିକ ବିଶ୍ୱାସ ଅନୁଯାୟୀ, ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଏହି ଦୁର୍ଲଭ ଉପହାରକୁ ଅତି ପ୍ରିୟଜନଙ୍କୁ ପ୍ରଦାନ କରାଯାଏ। ନିଜ ଭଲପାଇବାର ସତ୍ୟତା ପ୍ରମାଣ କରିବାକୁ ଯାଇ ଶ୍ରୀନୁ ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼କୁ ଖାତିର ନକରି ସମୁଦ୍ର ମଝିକୁ ଡେଇଁପଡ଼େ। ଲୀନାର ଅସରନ୍ତି ଅପେକ୍ଷା ଏବଂ “ସମୁଦ୍ର ଯାହା ନିଏ, ତାହା ଫେରାଇ ଦିଏ” — ଏହି ଦୃଢ଼ ବିଶ୍ୱାସ ହିଁ ନାଟକକୁ ଏକ ଚରମ ସୀମାରେ ପହଞ୍ଚାଇଥିଲା।

।ନାଟକଟିରେ ଅଭିନୟ କରୁଥିବା ପ୍ରତ୍ୟେକ କଳାକାର ନିଜର ଚମତ୍କାର ଅଭିନୟ ମାଧ୍ୟମରେ ଚରିତ୍ରଗୁଡ଼ିକୁ ଜୀବନ୍ତ କରିଥିଲେ। ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିବା କଳାକାର ମାନେ ହେଲେ ଶ୍ରୀନୁ ଭୂମିକାରେ ପ୍ରଦୀପ, ଲୀନା ଭୂମିକାରେ ସୌମ୍ୟା ତଥା
ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ସୂର୍ଯ୍ୟ (ନରସିଂହ), ବବୁଲୁ (ରାମୁଲୁ), ରୀତମ୍ (ଭେଙ୍କଟେଶ୍), ସନ୍ତୋଷ (ଇନ୍ସପେକ୍ଟର), ପ୍ରଭାତ (କନେଷ୍ଟବଳ), ବିବେକ (ଦିତୀ) ଏବଂ ଚନ୍ଦ୍ରଶେଖର (ରାବି) ପ୍ରମୁଖ।

ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଶକ୍ତି ମିଶ୍ରଙ୍କ ସଙ୍ଗୀତ ନାଟକକୁ ଏକ ଭିନ୍ନ ଉଚ୍ଚତାକୁ ନେଇଥିଲା। ଶୁଭଙ୍କର ଓ କାଜୋଲ ରାନୀଙ୍କ ସୂକ୍ଷ୍ମ ଆଲୋକ ସମ୍ପାଦନା ଦୃଶ୍ୟଗୁଡ଼ିକୁ ବେଶ୍ ପ୍ରଭାବଶାଳୀ କରିଥିବାବେଳେ, ରାହୁଲଙ୍କ କଳାତ୍ମକ ମଞ୍ଚ ସଜ୍ଜା ଦର୍ଶକଙ୍କ ମନରେ ଗୋପାଳପୁର ବେଳାଭୂମିର ଭ୍ରମ ସୃଷ୍ଟି କରିବାରେ ସଫଳ ହୋଇଥିଲା।

ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ଯୋଗଦାନ କରିଥିବା ବେଳେ ନାଟକର ଲେଖକ ଦିପିକା ଦାସ ଏବଂ ସହ ନିର୍ଦ୍ଦେଶକ ପ୍ରଦୀପ ପାଇକରାୟଙ୍କୁ ନାଟ୍ୟଧାରା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ନାଟ୍ୟଧାରା ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନିର୍ଦ୍ଦେଶକ ଡ.ବିଜୟ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

