ସରକାରୀ ଧାର୍ଯ୍ୟ ଦରରେ ମିଳିବ ଔଷଧ : କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

କେନ୍ଦ୍ର ସରକାର ଡ୍ରଗ୍ସ ପ୍ରାଇସ୍ କଣ୍ଟ୍ରୋଲ୍ ଅର୍ଡର- ଡିପିସିଓ ୨୦୧୩ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି । ଏହାଦ୍ୱାରା ରୋଗୀମାନଙ୍କୁ ଶସ୍ତାରେ ଔଷଧ ମିଳିପାରିବ । ନୂଆ ନିୟମ ଅନୁଯାୟୀ, ଯଦି କୌଣସି ମେଡିକାଲ୍ ଷ୍ଟୋର୍ କିମ୍ବା କମ୍ପାନୀ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟଠାରୁ ଟଙ୍କାଟିଏ ବି ଅଧିକ ଆଦାୟ କରେ, ତେବେ ସରକାରଙ୍କ ପକ୍ଷରୁ ସେମାନଙ୍କ ବିରୋଧରେ କଠୋର ଆଇନଗତ ଓ ଦଣ୍ଡନୀତିମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ନୂଆ ବିଜ୍ଞପ୍ତି ଅନୁଯାୟୀ, ସରକାର ଗୋଟିଏ ଔଷଧର ଭିନ୍ନ ଭିନ୍ନ ପ୍ୟାକ୍ ସାଇଜ୍, ପ୍ୟାକେଜିଂ, ଡୋଜ୍ ଆଧାରରେ ଅଲଗା ଅଲଗା ସର୍ବାଧିକ ମୂଲ୍ୟ ସ୍ଥିର କରିପାରିବେ। ଏହାଦ୍ୱାରା ବଜାରରେ ଭିନ୍ନ ଭିନ୍ନ ପ୍ୟାକେଜିଂରେ ଆସୁଥିବା ଔଷଧର ମନଇଚ୍ଛା ଦାମ୍ ଉପରେ ରୋକ୍ ଲାଗିବ ଏବଂ ସେଗୁଡ଼ିକର ସଠିକ୍ ମୂଲ୍ୟ ନିର୍ଦ୍ଧାରଣ କରିବା ସହଜ ହେବ।

  • ଦାମ୍ କମିବା ମାତ୍ରେ ତୁରନ୍ତ ସୂଚନା ଦେବାକୁ ହେବ: ଯଦି କୌଣସି ଔଷଧର ମୂଲ୍ୟ ହ୍ରାସ ପାଏ, ତେବେ କମ୍ପାନୀଗୁଡ଼ିକୁ ୨ ସପ୍ତାହ ମଧ୍ୟରେ ସମସ୍ତ ଡିଲର ଏବଂ ମେଡିକାଲ ଷ୍ଟୋରକୁ ନୂଆ ପ୍ରାଇସ୍ ଲିଷ୍ଟ ପଠାଇବାକୁ ହେବ। ଏହାସହ ଅତିକମରେ ଦୁଇଟି ଜାତୀୟ ଖବରକାଗଜ ଏବଂ ନିଜ ୱେବସାଇଟ୍‌ରେ ଏହାର ବିଜ୍ଞାପନ ଦେବାକୁ ହେବ।
  • ୭ ବର୍ଷ ପର୍ଯ୍ୟନ୍ତ ରେକର୍ଡ ରଖିବା ବାଧ୍ୟତାମୂଳକ: ପ୍ରତ୍ୟେକ ଔଷଧ ପ୍ରସ୍ତୁତକାରୀ କମ୍ପାନୀକୁ ନିଜର ବିକ୍ରି, ଉତ୍ପାଦନ ଏବଂ ଅନ୍ୟାନ୍ୟ ଜରୁରୀ ଦଲିଲ୍‌ର ରେକର୍ଡ ଅତିକମରେ ୭ଟି ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ବାଧ୍ୟତାମୂଳକ କରାଯାଇଛି, ଯେପରି ସରକାର ଯେକୌଣସି ସମୟରେ ଏହାର ଯାଞ୍ଚ କରିପାରିବେ।
  • ନୂଆ ଔଷଧ ଲଞ୍ଚ କରିବା ସହଜ: ଯଦି କୌଣସି ନୂଆ ଔଷଧର ଖୁଚୁରା ମୂଲ୍ୟ ପୂର୍ବରୁ ସ୍ଥିର ହୋଇସାରିଛି, ତେବେ ଆଗାମୀ ୧୨ ମାସ ମଧ୍ୟରେ ସେହି ସମାନ ଔଷଧ ଆଣୁଥିବା ଅନ୍ୟ କୌଣସି କମ୍ପାନୀକୁ ପୁଣିଥରେ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଆବେଦନ କରିବାକୁ ପଡ଼ିବ ନାହିଁ। କମ୍ପାନୀକୁ କେବଳ ଲଞ୍ଚ କରିବାର ଏକ ମାସ ମଧ୍ୟରେ ସରକାରଙ୍କୁ ସୂଚନା ଦେବାକୁ ହେବ।

ଅଧିକ ପଢନ୍ତୁ