ପ୍ରଚଣ୍ଡ ଗ୍ରୀଷ୍ମ ଜ୍ୱାଳାରୁ ନିସ୍ତାର ନାହିଁ । ଏବେ ଯେମିତି ଜଳୁଛି ଓଡ଼ିଶା, ଆହୁରି ୧୫ ଦିନ ଜାଳିବ ତାତି ପ୍ରକୋପ ।୪୪ ଡିଗ୍ରୀ ସହ ଶୀର୍ଷରେ ଝାରସୁଗୁଡା। ୪୨.୧ ଡିଗ୍ରୀରେ ସନ୍ତୁଳି ହେଲା ଭୁବନେଶ୍ୱର। ପୁଣି ଆହୁରି ଦୁଇଦିନ ଅସମ୍ଭାଳ ହେବ। ଏନେଇ ଚେତାବନୀ ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ।ଅସମ୍ଭାଳ ତାତି ଓ ଗୁଳୁଗୁଳି ଯୋଗୁଁ ଦିନବେଳା ଏକପ୍ରକାର କର୍ଫ୍ୟୁ ଭଳି ମନେହେଉଛି। ରାସ୍ତାଘାଟ ସବୁ ଶୁନଶାନ୍ ହୋଇପଡୁଛି । ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, କେନ୍ଦୁଝର, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରି ସତର୍କ କରାଇଛି ପାଣିପାଗ ବିଭାଗ । ବଲାଙ୍ଗୀର, ସମ୍ବଲପୁର ଓ କନ୍ଧମାଳରେ ଅତ୍ୟଧିକ ଗରମ ଯୋଗୁଁ ରାତି ତାପମାତ୍ରା ଉତ୍ତପ୍ତ ରହିବ । ଏଣୁ ଏହି ତିନି ଜିଲ୍ଲା ପାଇଁ ରାତିରେ ବି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଦେଶରେ ଉତ୍ତପ୍ତ ସହର ତାଲିକାର ପ୍ରଥମ ୧୦ ମଧ୍ୟରେ ଓଡ଼ିଶାର ୬ ସହର ରହିଛି ।ପ୍ରଚଣ୍ଡ ଗ୍ରୀଷ୍ମ ସ୍ଥିତି ଦେଖି ରାଜ୍ୟ ସରକାର ଏଥର ଆଗୁଆ ସ୍କୁଲ ଛୁଟି କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
ଏ ନେଇ ଗୁରୁବାର ଗଣଶିକ୍ଷା, ରାଜସ୍ୱ ଏବଂ ଏସଆରସିଙ୍କ ମିଳିତ ବୈଠକ ବସିଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି, ଆସନ୍ତା ୨୭ ତାରିଖ ଭିତରେ ସ୍କୁଲ ଛୁଟି ନେଇ ଘୋଷଣା ହୋଇପାରେ ।
