ସିବିଏସ୍ଇ ଅନ୍-ସ୍କ୍ରିନ୍ ମାର୍କିଂ ସିଷ୍ଟମକୁ ନେଇ ଅସନ୍ତୋଷ ଜାରି ରହିଥିବାବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ନିଜକୁ ଦାୟୀ କରିଛନ୍ତି ଓ ଏହାର ସମାଧାନ କରାଯିବ ବୋଲି କହିଛନ୍ତି। ଗୁରୁବାର ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସେ ତ୍ରୁଟି ପାଇଁ ଦାୟିତ୍ୱ ନେଉଛନ୍ତି। ଛାତ୍ର ଓ ଅଭିଭାବକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଯଦି ମୂଲ୍ୟାଙ୍କନ ପ୍ରକ୍ରିୟାରେ ଅନିୟମିତତା ଦେଖାଯାଏ ତେବେ କାହାକୁ ଛଡାଯିବ ନାହିଁ।ବୁଧବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)କୁ ତୀବ୍ର ସମାଲୋଚନା କରିଥିଲେ। ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର ମୂଲ୍ୟାୟନ ପାଇଁ ବୋର୍ଡର ଓଏସ୍ଏମ୍ ସିଷ୍ଟମରେ ‘ବ୍ୟାପକ ହେରଫେର’ ହୋଇଥିବା ରାହୁଲ ଅଭିଯୋଗ କରିଥିଲେ। ଏହାର ଜବାବ ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନରେ ପ୍ରଥମ ଥର ପାଇଁ ହୋଇଛି ଡିଜିଟାଲ୍ ବ୍ୟବସ୍ଥା । କେହି ବି ସନ୍ତୁଷ୍ଟ ନହେଲେ ଦେଖିପାରିବେ ଖାତା । ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପୁନଃମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପରୀକ୍ଷାରେ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଯେଉଁଥିରେ ପ୍ରାୟ ୯୮ ଲକ୍ଷ ଉତ୍ତର ଖାତା ଅର୍ଥାତ୍ ସମୁଦାୟ ପ୍ରାୟ ୪୦ କୋଟି ସ୍କାନ୍ ହୋଇଥିବା ପୃଷ୍ଠା ରହିଛି। ସ୍ୱଚ୍ଛତା ଏବଂ ଛାତ୍ରକୈନ୍ଦ୍ରିକ ସୁଧାରକୁ ଦୃଷ୍ଟିରେ ରଖି ସିବିଏସ୍ଇ ପ୍ରଥମ ଥର ପାଇଁ ଏକ ଡିଜିଟାଲ୍ ମୂଲ୍ୟାୟନ ବ୍ୟବସ୍ଥା ପ୍ରବର୍ତ୍ତନ କରିଛି ।ଛାତ୍ରଛାତ୍ରୀମାନେ ଏବେ ନିଜ ନିଜର ମାର୍କ ଯାଞ୍ଚ କରିବା ଏବଂ ପ୍ରଶ୍ନ ଉଠାଇବା ପାଇଁ ସ୍କାନ୍ ହୋଇଥିବା ଉତ୍ତର ଖାତାଗୁଡ଼ିକୁ ସେମାନେ ନିଜେ ଦେଖିପାରିବେ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ ସେମାନଙ୍କର ଉତ୍ତର ଖାତା ଫେରି ପାଇଛନ୍ତି । ଯେଉଁଥିରେ ପ୍ରାୟ ୧୧ ଲକ୍ଷ କପି ସାମିଲ ଅଛି। ଏହି ସମ୍ପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାର ତଦାରଖ କରିବା ପାଇଁ ସିବିଏସ୍ଇ ଆଇଆଇଟି କାନପୁର ଏବଂ ଆଇଆଇଟି ମାଡ୍ରାସ ଭଳି ଦେଶର ଶୀର୍ଷ ସଂସ୍ଥାଗୁଡ଼ିକୁ ସାମିଲ କରିଛି। ଏହି ପ୍ରକ୍ରିୟାକୁ ସହଜ କରିବା ପାଇଁ ଚାରୋଟି ରାଷ୍ଟ୍ରାୟତ ବ୍ୟାଙ୍କ ଏସବିଆଇ, ଇଣ୍ଡିଆନ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଏବଂ କାନାରା ବ୍ୟାଙ୍କର ପେମେଣ୍ଟ ଗେଟୱେକୁ ଏହା ସହ ଯୋଡ଼ା ଯାଇଛି। ପ୍ରକ୍ରିୟାରେ କିଛି ବିଭ୍ରାଟ ବା ତ୍ରୁଟି ହୋଇଥିବା କଥାକୁ ସରକାର ସ୍ୱୀକାର କରିଛନ୍ତି ଏବଂ ଏହାର ଦାୟିତ୍ୱ ନେବା ସହ ଏଥିରେ ସଂଶୋଧନମୂଳକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
