ସେଲଫି ନେବାର ନିଶା ଛଡ଼ାଇ ନେଇଛି ୫ଟି ଅମୂଲ୍ୟ ଜୀବନ । କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି । ଏଠାକାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ମୁଥାଠୀ’ରେ କାବେରୀ ନଦୀ କୂଳରେ ଛିଡ଼ା ହୋଇ ଫଟୋ ଓ ସେଲଫି ଉଠାଇବା ସମୟରେ ଘଟିଛି ବଡ଼ ଅଘଟଣ । ନଦୀର ପ୍ରଖର ସ୍ରୋତରେ ଭାସି ଗଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ । ମୃତକମାନେ ବେଙ୍ଗାଲୁରୁ ନିକଟସ୍ଥ ଚନ୍ନପଟ୍ଟଣ ଅଞ୍ଚଳର ବୋଲି ଜଣାପଡ଼ିଛି ।ନଦୀ କୂଳରେ ଫଟୋ ଉଠାଉଥିବା ସମୟରେ ପ୍ରଥମେ ୫୦ ବର୍ଷୀୟ ମହିଳା ବିଜୟମ୍ମାଙ୍କ ସନ୍ତୁଳନ ବିଗିଡ଼ି ଯାଇଥିଲା ଏବଂ ସେ ନଦୀର ଗଭୀର ପାଣିକୁ ଖସି ପଡ଼ିଥିଲେ । ବିଜୟମ୍ମାଙ୍କୁ ବୁଡ଼ିଯାଉଥିବାର ଦେଖି ପରିବାରର ବାକି ସଦସ୍ୟ ଏବଂ ସେମାନଙ୍କ କାର୍ ଡ୍ରାଇଭର ମଧ୍ୟ ତାଙ୍କୁ ରକ୍ଷା କରିବା ପାଇଁ ଜଣଙ୍କ ପରେ ଜଣେ ନଦୀକୁ ଡେଇଁ ପଡ଼ିଥିଲେ । ହେଲେ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୫ ଜଣ ସ୍ରୋତରେ ଭାସିଯାଇଥିଲେ । ମୃତକଙ୍କ ପରିଚୟ ମିଳିଛି । ଚିତ୍ରା (୨୦), ପ୍ରିୟଙ୍କା (୨୮), ଶ୍ବେତା (୩୮), ବିଜୟମ୍ମା (୫୦) ଏବଂ ମହେଶ ବୋଲି ଜଣାପଡିଛି । ତେବେ ଅସାବଧାନତା ଯୋଗୁଁ ସମସ୍ତଙ୍କ ଜୀବନ ଚାଲିଯାଇଛି ।ନଦୀରେ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ କରାଯିବା ପରେ ୫ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ପୁଲିସ ଏକ ମାମଲା ରୁଜୁ କରି ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆଗାମୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ନଦୀ ପାଖକୁ ଯିବା ସମୟରେ ଅଧିକ ସତର୍କ ରହିବାକୁ ନିବେଦନ କରାଯାଇଛି ।
