ରାଜଧାନୀର ହାଇ ସିକ୍ୟୁରିଟି ଜୋନ କୁହାଯାଉଥିବା ଲୋକସେବା ଭବନରୁ ଚୋରି କରିଥିଲେ ଏସି। ଲୋକସେବା ଭବନ ସହ ବିଭିନ୍ନ ବିଭାଗର AC ଚୋରି କରିଥିବା ଅଭିଯୋଗରେ ୨ ଜଣଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।। ସେମାନେ ହେଲେ ତମାଣ୍ଡୋ ସିଜିପୁଟରେ ରହୁଥିବା କଟକ ନିଶ୍ଚିନ୍ତକୋଇଲିର ମନୋଜ କୁମାର ଦାସ(୨୫) ଏବଂ ସାଲିଆସାହି ମଇଳାଟାଙ୍କି ବସ୍ତିରେ ରହୁଥିବା ଯାଜପୁର ବିଞ୍ଝାରପୁରର ଚନ୍ଦନ ପଲାଇ(୨୭) । ସେମାନଙ୍କ ଠାରୁ ଏସି କଂପ୍ରେସରର ବିଭିନ୍ନ ସାମଗ୍ରୀ ଜବତ ହୋଇଛି ।ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ସମୟରେ ନଭେମ୍ବର ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ଚୋରି ହୋଇଥିବା ସନ୍ଦେହ କରାଯାଉଛି। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା।
ଲୋକସେବା ଭବନରେ ଅବସ୍ଥିତ ଅର୍ଥ ବିଭାଗର ଛାତ, ତଳ ମହଲା, ଉପସଚିବଙ୍କ ଚାମ୍ବର ଓ ଲାଇବ୍ରେରୀ କକ୍ଷରେ ସ୍ଥାପିତ ସାତଟି ଏସି ୟୁନିଟର କମ୍ପ୍ରେସର ଏବଂ ତମ୍ବା ପାଇପର କିଛି ଅଂଶ ଚୋରି ହୋଇଥିଲା। ସଚିବାଳୟର ସୁରକ୍ଷାକର୍ମୀ ଏହି ୨ ଅଭିଯୁକ୍ତଙ୍କୁ ଅଟକ ରଖିଥିଲେ । ତଲାସୀ ସମୟରେ ସେମାନଙ୍କ ଠାରୁ ଏସିର ବିଭିନ୍ନ ଉପକରଣ ମିଳିଥିଲା । ପଚରାଉଚରା ବେଳେ ସେମାନେ ଚୋରି କରିଥିବା ମାନିଥିଲେ ।
