
ନୟାଗଡ,(ଓଡ଼ିଶା ଦର୍ପଣ): ନୟାଗଡ ଜିଲ୍ଲା ସଦର ମହକୁମାସ୍ଥିତ ଯୁନିଟେକ ପବ୍ଲିକ ସ୍କୁଲରେ ଶିକ୍ଷା ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୫୯ ଜଣ ଛାତ୍ରଛାତ୍ରୀ ବିଜ୍ଞାନ, ଗଣିତ, ଇଂରାଜୀ, ସାମାଜିକ ବିଜ୍ଞାନ, ସଂସ୍କୃତ ଓ ହିନ୍ଦୀ ବିଷୟରେ ନିଜ ନିଜ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ନୟାଗଡ ଜିଲ୍ଲାରେ ପ୍ରଥମ ଥର ପାଇଁ ସମସ୍ତ ପାଠ୍ୟ ବିଷୟରେ ଏଭଳି ଏକ ଶିକ୍ଷା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ବନଲତା ବେହେରା ମୁଖ୍ୟଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ସହିତ ପ୍ରଦର୍ଶନୀକୁ ଉଦଘାଟନ କରି ଛାତ୍ରଛାତ୍ରୀ ମାନଙ୍କର ପ୍ରୟାସ ଓ ନୂତନ ଚିନ୍ତାଧାରାକୁ ଉଚ୍ଚ ପ୍ରଶଂସା କରି ସେମାନଙ୍କୁ ଆଗାମୀ ଦିନରେ ଆହୁରି ଉନ୍ନତି କରିବା ପାଇଁ ଉତ୍ସାହିତ କରିଥିଲେ।

ବିଭିନ୍ନ ବିଷୟର ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କାର୍ଯ୍ୟରେ ବିଚାରକ ମଣ୍ଡଳୀ ଭାବେ ବିଜ୍ଞାନ ପ୍ରକଳ୍ପ ପାଇଁ ଗୀତାଞ୍ଜଳି ତ୍ରିପାଠୀ, ଭାରତୀ ମିଶ୍ର, ଡ.ସନ୍ତୋଷ କୁମାର ବେହେରା,ପୂର୍ଣ୍ଣିମା ତ୍ରିପାଠୀ ଓ ଲକ୍ଷ୍ମୀଧର ସାହୁ ଯୋଗଦାନ କରିଥିବା ବେଳେ ଇଂରାଜୀ ଓ ସାମାଜିକ ବିଜ୍ଞାନ ପ୍ରକଳ୍ପ ପାଇଁ କେଶବ ଚନ୍ଦ୍ର ରାଉତରାୟ, ସଂସ୍କୃତ, ହିନ୍ଦୀ ଓ ସାମାଜିକ ବିଜ୍ଞାନ ପ୍ରକଳ୍ପ ପାଇଁ ବିଜୟ କୁମାର ରଥ ଓ କୃପାସିନ୍ଧୁ ସ୍ୱାଇଁ ପ୍ରମୁଖ ଯୋଗଦାନ କରି ମୂଲ୍ୟାୟନ କରିଥିଲେ।
ସମସ୍ତ ବିଭାଗରେ ଛାତ୍ରଛାତ୍ରୀମାନେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ ବୋଲି ବିଚାରକମାନେ ମତବ୍ୟକ୍ତ କରିବା ସହିତ ସେମାନଙ୍କୁ ଉତ୍ସାହ ଓ ମାର୍ଗଦର୍ଶନ ଦେଇଥିଲେ।ଅନୁଷ୍ଠାର ନିର୍ଦ୍ଦେଶକ ପ୍ରବୀର କୁମାର ପୃଷ୍ଟି ଓ ଅଧ୍ୟକ୍ଷା ରୋଜାଲିନ ପାତ୍ର ସମସ୍ତ ଅତିଥି ଓ ବିଚାରକମାନଙ୍କୁ ଧନ୍ୟବାଦ ଜଣାଇ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ନିଜ ସୃଜନଶୀଳତା ଓ ଶିକ୍ଷାରେ ଆହୁରି ଅଗ୍ରଗତି କରିବା ପାଇଁ ଉତ୍ସାହିତ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।By:-Laxmidhar Sahoo