ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ହେମା ମାଳିନୀ ୭୮ ବର୍ଷ ବୟସରେ ପାଦ ଥାପିଛନ୍ତି । ୧୬ ଅକ୍ଟୋବର ୧୯୪୮ରେ ତାମିଲନାଡୁର ତିରୁଚିରାପାଲିରେ ତାଙ୍କର ଜନ୍ମ ହୋଇଥିଲା । ହେମା କମ୍ ବୟସରୁ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ । ଭାରତନାଟ୍ୟମ୍, କଥକ ଏବଂ କୁଚିପୁଡ଼ିରେ ତାଲିମ ନେଇଥିଲେ । ତାଙ୍କ ନୃତ୍ୟ ମାଧ୍ୟମରେ ସେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ହେମା ମାଳିନୀ ବହୁ ବର୍ଷ ଧରି ଅଭିନେତ୍ରୀ ଭାବରେ ବଡ଼ ପରଦାରେ ରାଜ କରିଥିଲେ। ଏହା ପରେ, ସେ ଛୋଟ ପରଦାରେ ମଧ୍ୟ ଦେଖା ଦେଇଥିଲେ ଏବଂ କିଛି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଥିଲେ ।ସେ ୧୪ ବର୍ଷ ବୟସରେ “ଇଧୁ ସାଥିୟମ” (୧୯୬୨) ଏବଂ ୧୭ ବର୍ଷ ବୟସରେ “ପାଣ୍ଡବ ବନବାସମ” (୧୯୬୫) ଭଳି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଛୋଟ ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ସେ ବଲିଉଡକୁ ଚାଲିଯାଇଥିଲେ । ତାଙ୍କର ବଲିଉଡ ଡେବ୍ୟୁ କିମ୍ବଦନ୍ତୀ ଅଭିନେତା ଏବଂ ନିର୍ଦ୍ଦେଶକ ରାଜ କପୁରଙ୍କ ଚଳଚ୍ଚିତ୍ର “ସପନନ୍ କା ସୌଦାଗର” ସହିତ ହୋଇଥିଲା ।
୧୯୭୫ ମସିହାରେ ଆସିଥିବା “ଶୋଲେ” ଚଳଚ୍ଚିତ୍ରରେ ବାସନ୍ତୀ ଭୂମିକା ତାଙ୍କ କ୍ୟାରିୟରର ସବୁଠାରୁ ସ୍ମରଣୀୟ ଭୂମିକା ଥିଲା। ଏହି ଚଳଚ୍ଚିତ୍ରଟି ମଧ୍ୟ ଏକ ବଡ଼ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ପରେ, ହେମା “ନସୀବ,” “କ୍ରାନ୍ତି,” “ଜମାଇ ରାଜା,” “ବାଗୱାନ,” “ବୀର-ଜାରା,” “ସତ୍ତେ ପେ ସତ୍ତା,” “ଧର୍ମାତ୍ମା,” “ଖୁସ୍ବୁ,” “ପ୍ରତିଜ୍ଞା,” “ରିହାଇ,” “ଦ ବର୍ନିଂ ଟ୍ରେନ୍,” ଏବଂ “ଅନ୍ଧା କାନୁନ୍” ଭଳି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଥିଲେ। ୧୯୭୭ ମସିହାରେ ଆସିଥିବା “ଡ୍ରିମ୍ ଗାର୍ଲ” ଚଳଚ୍ଚିତ୍ର ପରେ ସେ “ଡ୍ରିମ୍ ଗାର୍ଲ” ଭାବରେ ପରିଚିତ ହୋଇଥିଲେ ।ଅଭିନେତ୍ରୀ ୧୯୮୦ ମସିହାରେ ତାଙ୍କଠାରୁ ୧୩ ବର୍ଷ ବଡ଼ ସ୍ବର୍ଗତ ଅଭିନେତା ଧମେନ୍ଦ୍ରଙ୍କୁ ବିବାହ କରିଥିଲେ । ହେମା ଏବଂ ଧର୍ମେନ୍ଦ୍ରଙ୍କର ଦୁଇଟି ଝିଅ ଥିଲେ, ଆହାନା ଦେଓଲ ଏବଂ ଏଶା ଦେଓଲ । ବିବାହର ଅଧ୍ୟାୟ ଶେଷ ହେବା ପରେ ସେ ୨୦୦୦ଦଶକ ପୂର୍ବରୁ ରାଜନୀତିରେ ଆଗ୍ରହୀ ହେଲେ । ସେ ୨୦୦୩ ରୁ ୨୦୦୯ ଏବଂ ୨୦୧୧ ରୁ ୨୦୧୨ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଭାବରେ କାର୍ଯ୍ୟ କରିଥିଲେ। ୨୦୧୪, ୨୦୧୯ ଏବଂ ୨୦୨୪ ମସିହାରେ, ହେମା ମାଳିନୀ ବିଜେପି ଟିକେଟରେ ମଥୁରାରୁ ଲଗାତାର ତିନୋଟି ଲୋକସଭା ନିର୍ବାଚନ ଜିତିଥିଲେ ।
