ଭାରତୀୟ ବାୟୁସେନାର ସାମରିକ ଶକ୍ତିକୁ ଆହୁରି ସୁଦୃଢ଼ କରିବା ଦିଗରେ ଦେଶ ଏକ ଐତିହାସିକ ସଫଳତା ଆଡ଼କୁ ଅଗ୍ରସର ହେଉଛି । ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱର ସବୁଠାରୁ ବଡ଼ ଚୁକ୍ତି ମଧ୍ୟରୁ ଏକ ପ୍ରସ୍ତାବକୁ ଭାରତ ସରକାର ଆନୁଷ୍ଠାନିକ ଭାବେ ଚୂଡ଼ାନ୍ତ କରିଛନ୍ତି ।ଆଲୋଚନା ପରେ ଭାରତ ସରକାର ୩.୨୫ ଲକ୍ଷ କୋଟି ଟଙ୍କାର ଚୁକ୍ତି ପାଇଁ ଫ୍ରାନ୍ସକୁ ଚିଠି ପଠାଇଛନ୍ତି । ଏହା ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବ, ଯାହା ମଧ୍ୟରୁ ୯୪ ଟି ଭାରତରେ ତିଆରି କରାଯିବ । ପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ଅଧୀନରେ ଫ୍ରାନ୍ସର ଏରୋସ୍ପେସ୍ କମ୍ପାନୀ ‘ଡସଲ୍ଟ ଏଭିଏସନ’ ଭାରତର କୌଣସି ପ୍ରମୁଖ ଘରୋଇ କିମ୍ବା ସରକାରୀ ସଂସ୍ଥା ସହ ମିଳିତ ଭାବେ ଏହାକୁ ପ୍ରସ୍ତୁତ କରିବେ । ବାକି ରହିଥିବା ୨୨ଟି ବିମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବା ‘ଫ୍ଲାଇ-ଆୱେ’ ସ୍ଥିତିରେ ସିଧାସଳଖ ଫ୍ରାନ୍ସରୁ ଭାରତ ଆସିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତରେ ନିର୍ମିତ ହେବାକୁ ଥିବା ଏହି ବିମାନଗୁଡ଼ିକରେ ପ୍ରାୟ ୫୦ ପ୍ରତିଶତ ସ୍ୱଦେଶୀ ଯନ୍ତ୍ରାଂଶ ଏବଂ ଭାରତୀୟ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯିବ । ଆସନ୍ତା ଜୁନ୍ ମଧ୍ୟଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ଏବଂ ସେଠାରେ ଫ୍ରାନ୍ସ ନେତୃତ୍ୱଙ୍କ ସହ ହେବାକୁ ଥିବା ବୈଠକରେ ଏହି ରାଫେଲ ଚୁକ୍ତି ସମ୍ପର୍କରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି । ଏଥିସହିତ ଭାରତ ଯୁଦ୍ଧ ବିମାନ ସ୍କ୍ବାର୍ଡନର ଘୋର ଅଭାବର ସମ୍ମୁଖୀନ ହେଉଛି ଏବଂ ଏହାକୁ ସମାଧାନ କରିବାକୁ ୪.୫ ଜେନେରେସନ୍ ପ୍ଲସ ରାଫେଲ ବିମାନ ସାମିଲ କରାଯାଉଛି । ଭାରତୀୟ ବାୟୁସେନା ଏବଂ ନୌସେନା ପ୍ରଥମରୁ ୬୨ଟି ରାଫେଲ ବିମାନ ଅର୍ଡର କରିସାରିଛନ୍ତି । ୧୧୪ଟି ରାଫେଲ୍ ଅର୍ଡରର ଏହି ସଂଖ୍ୟା ୧୭୬କୁ ବୃଦ୍ଧି କରିବ । ଭାରତୀୟ ନୌସେନା ସାମୁଦ୍ରିକ ବିପଦର ମୁକାବିଲା ପାଇଁ ୩୧ ଟି ରାଫେଲ୍ ବିମାନ ସାମିଲ କରିବାକୁ ଆଗ୍ରହ ପ୍ରକାଶ କରୁଛି । ଫଳରେ ଦେଶର ମୋଟ୍ ରାଫେଲ ବିମାନ ସଂଖ୍ୟା ୨୦୦ରୁ ଅଧିକ ହୋଇଯିବ ।
