ପୁଷ୍ପ ବ୍ରହ୍ମକମଳ ବିଷୟରେ କିଛି ବିଶେଷ କଥା

ପୁଷ୍ପମାନଙ୍କ ମଧ୍ୟରେ ଏକ ଦୁଷ୍ପ୍ରାପ୍ୟ, ଦୁର୍ଲଭ ତଥା ପବିତ୍ର ଓ ସ୍ବର୍ଗୀୟ ପୁଷ୍ପ ଅଟେ ବ୍ରହ୍ମକମଳ। ଏହା ଉନ୍ନତି, ସୌଭାଗ୍ୟ ତଥା ସନ୍ତୋଷର ପ୍ରତୀକ।ହିନ୍ଦୁ ପୁରାଣ ଅନୁସାରେ ବ୍ରହ୍ମକମଳ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା ଶିବଙ୍କ ପୁତ୍ର ଗଣେଶଙ୍କ ଦେହରେ ହାତୀର ମୁଣ୍ଡ ଯୋଡ଼ିବାକୁ। ବିଶ୍ୱାସ କରାଯାଏ ଯେ ଏହି ପୁଷ୍ପର ପାଖୁଡ଼ାରୁ ଟୋପା ଟୋପା ଅମୃତ ନିର୍ଗତ ହୋଇ ଗଣେଶଙ୍କ କଟା ସ୍ଥାନରେ ପଡ଼ିବାରୁ ସେଥିରେ ହାତୀମୁଣ୍ଡ ଯୋଡ଼ିହୋଇ ଗଣେଶ ପୁନର୍ଜୀବନ ଲାଭ କରିଥିଲେ। ପୁଣି ମଧ୍ୟ ହିନ୍ଦୁ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ, ବିଷ୍ଣୁଙ୍କ ନାଭିରୁ ଏକ କମଳ ସୃଷ୍ଟି ହେଲା ଓ ସେଥିରୁ ବ୍ରହ୍ମା ସୃଷ୍ଟି ହେଲେ। ସେଥିପାଇଁ ଏହାର ନାମ ‘ବ୍ରହ୍ମକମଳ’। ବ୍ରହ୍ମା ତା’ପରେ ଏହି ବିଶ୍ୱବ୍ରହ୍ମାଣ୍ଡକୁ ସର୍ଜନା କଲେ।ବ୍ରହ୍ମକମଳ ଏକ ଚିରସ୍ଥାୟୀ ଉଦ୍ଭିଦ। ଏହା ପ୍ରାୟ ଏକ ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ। ଏହାର କାଣ୍ଡ ଚେପ୍‌ଟା, ସବୁଜ ମୋଟା ପତ୍ର ଭଳି। ଏହି ପତ୍ର ଭଳି କାଣ୍ଡର ଧାରରୁ ନୂତନ ପତ୍ରରୂପକ କାଣ୍ଡ ସୃଷ୍ଟି ହୋଇଥାଏ। ଫୁଲ ମଧ୍ୟ ଏହି କାଣ୍ଡର ଧାରରୁ ସୃଷ୍ଟି ହୋଇଥାଏ। ହିମାଳୟ ପର୍ବତ ଶ୍ରେଣୀରେ ଏହା ପ୍ରାକୃତିକ ଭାବରେ ବଢ଼ିଥାଏ।

କିନ୍ତୁ ଆମେ ଏହାକୁ କୁଣ୍ଡରେ ବଢ଼ାଇଲେ ଏହାର କେତେକ ଯତ୍ନ ନେବାକୁ ପଡ଼ିଥାଏ। କୁଣ୍ଡରେ ତିନି ଚାରିଟି ଛିଦ୍ର କରି ପାଣି ନିଷ୍କାସନ କରିବାକୁ ପଡ଼ିଥାଏ। ସପ୍ତାହକୁ ଦୁଇ ବା ତିନିଥର ପାଣି ଦିଆଯାଏ। କୁଣ୍ଡର ଉପରିଭାଗର ମାଟି ଶୁଖିଗଲା ପରେ ସେଥିରେ ପାଣି ଦିଆଯାଏ। ପତ୍ରରେ ପାଣି ଦିଆଯାଏ ନାହିଁ। ଏହା ଏକ ମରୁଡ଼ି ଶ୍ରେଣୀର ଉଦ୍ଭିଦ ହୋଇଥିବାରୁ ପାଣି କମ୍‌ ଦରକାର କରେ। ଅଧିକ ପାଣି ହେଲେ ଏହାର ପତ୍ରରୂପୀ କାଣ୍ଡ ହଳଦିଆ ପଡ଼ିଯାଏ। ସକାଳର ଖରା ଏହା ପାଇଁ ଉତ୍ତମ କିନ୍ତୁ ଦ୍ୱିପ୍ରହରର ତୀକ୍ଷ୍‌ଣ ଖରା ଏହା ପାଇଁ କ୍ଷତିକାରକ। ଅଳ୍ପ ଛାଇଛାଇଆ ସ୍ଥାନରେ ଏହାର କୁଣ୍ଡକୁ ରଖିବା ଉଚିତ। ଏହା ଭିତରେ ସବୁଜ-ହଳଦିଆ କାଗଜ ଭଳିଆ ପତଳା ଉପପତ୍ର ରହିଥାଏ ଯାହା ଫୁଲକୁ ପର୍ବତର ଥଣ୍ଡା ପରିବେଶରୁ ରକ୍ଷା କରିଥାଏ। ଫୁଲ ଫୁଟିଗଲା ପରେ ଏହାର ପାଖୁଡ଼ା ସବୁ ଶୁଭ୍ର ହୋଇଥାଏ। ଫୁଲ ସବୁ ଜୁଲାଇରୁ ସେପ୍ଟେମ୍ବର ମାସ ପଯ୍ୟନ୍ତ ଫୁଟିଥାଏ। ତା’ପରେ ଉଦ୍ଭିଦର ଉପରିଭାଗରେ ଥିବା ଅଂଶ ମରିଯାଏ ଓ ପୁନଶ୍ଚ ଏହା ଏପ୍ରିଲ ମାସରେ ଆବିର୍ଭୂତ ହୁଏ।

ଅଧିକ ପଢନ୍ତୁ