ଉପରମୁଣ୍ଡରେ ବର୍ଷା ହେବାରୁ ହୀରାକୁଦ ଡ୍ୟାମ୍ର ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଫଳରେ ମହାନଦୀ ଫୁଲି ଚାଲିଛି। ମୁଣ୍ଡୁଳିଠାରେ ୫.୭୮ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଛି। ଏନେଇ ୧୦ ଜିଲାର ଜିଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର(ଏସ୍ଆର୍ସି) ସତ୍ୟବ୍ରତ ସାହୁ।
ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଳ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳ ଉପରେ ନଜର ରଖିବା ସହ ଏନେଇ ରିପୋର୍ଟ ଦେବାକୁ କୁହାଯାଇଛି । ଶାଖା ନଦୀମାନଙ୍କରେ ମଧ୍ୟ ଜଳସ୍ତର ବଢ଼ିବାରେ ଲାଗିଛି । ହୀରାକୁଦରେ ଅଧିକ ଗେଟ ଖୋଲଯାଇଥିବାରୁ ଆଗକୁ ଜଳସ୍ତର ବଢ଼ିବା ନେଇ ଆଶଙ୍କା ରହିଛି।