ପୂଣ୍ୟତିଥିରେ ‘ସଦୈବ ଅଟଳ’ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଧିସ୍ଥଳରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ଅଟଳ ବିହାରୀ ବାଜପେୟୀଙ୍କ ପୋଷ୍ୟ କନ୍ୟା ନମିତା କୌଲ୍ ଭଟ୍ଟାଚାର୍ଯ୍ୟ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଅନ୍ୟ ଏନଡିଏ ନେତାମାନେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।୨୦୧୮ ମସିହା ଅଗଷ୍ଟ ୧୬ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବାଜପେୟୀ । ପୂଣ୍ଣ୍ୟତିଥିରେ ସ୍ୱର୍ଗତ ବାଜପେୟୀଙ୍କୁ ସାରା ଦେଶବାସୀ ମନେ ପକାଉଛନ୍ତି । ରାଷ୍ଟ୍ର ପ୍ରତି ତାଙ୍କର ସମର୍ପଣ ଭାବ, ସହକର୍ମୀଙ୍କ ପ୍ରତି ସମ୍ମାନ ଓ ବିରୋଧୀଙ୍କୁ ମଧ୍ୟ ସମ୍ମାନ ଜଣାଇବା ତାଙ୍କୁ ମହାନ କରିଛି । ରାଜନୀତିରେ ତାଙ୍କ ଦିଗଦର୍ଶନ ପାଇଁ ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ତାଙ୍କୁ ରାଜନୀତିର ଭୀଷ୍ମ ପିତାମହ କହୁଥିଲେ । ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଏଭଳି ଜଣେ ରାଷ୍ଟ୍ରନେତା ଥିଲେ ଯାହାଙ୍କ କଥା ଓ କବିତାରେ ବିରୋଧୀ ମଧ୍ୟ ତାଳି ମାରୁଥିଲେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଦସ୍ୟ ଥିବାରୁ ସେ ଆରଏସଏସର ବିଚାରଧାରାକୁ ଅନୁସରଣ କରୁଥିଲେ ।ଅଟଳ ବିହାରୀ ବାଜପେୟୀ ତିନିଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ସର୍ବପ୍ରଥମେ, ସେ ୧୯୯୬ ରେ ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ସଂଖ୍ୟାଗରିଷ୍ଠତା ପ୍ରମାଣ ନ କରି ପାରିବାରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ୧୯୯୮ରେ ସେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ।
ସହଯୋଗୀମାନଙ୍କ ସମର୍ଥନ ପ୍ରତ୍ୟାହାର ଯୋଗୁ ୧୯୯୯ରେ ୧୩ ମାସ ପରେ ପୁନର୍ବାର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୧୩ ଅକ୍ଟୋବର ୧୯୯୯ରେ, ସେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏଥର ସେ ୨୦୦୪ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ସମାପ୍ତ କରିଥିଲେ।